ମେ ୨୩ ଯାଏଁ ପାକିସ୍ତାନ ପାଇଁ ଏୟାରସ୍ପେସ୍ ବନ୍ଦ କଲା ଭାରତ

ନୂଆଦିଲ୍ଲୀ-: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଲାଗିଛି । ଏହାରି ଭିତରେ ପାକିସ୍ତାନକୁ ଏକ ବଡ଼ ଝଟକା ଦେଇଛି ଭାରତ । ଏବେ ପାକିସ୍ତାନ ପାଇଁ ଭାରତର ଏୟାର ସ୍ପେସ୍ ବନ୍ଦ କରିଛି । ମେ ୨୩ ପର୍ଯ୍ୟନ୍ତ ପାକିସ୍ତାନ ଦ୍ବାରା ଅପରେଟ୍ ହେଉଥିବା ସମସ୍ତ ଏୟାରଲାଇନ୍ସ ପାଇଁ ଏୟାର ସ୍ପେସ୍ ବନ୍ଦ କରିଛି ଭାରତ ।

ଏୟାରସ୍ପେସ୍ ବନ୍ଦ ନେଇ NOTAM ନୋଟିସ ଜାରି କରିଛି ନୂଆ ଦିଲ୍ଲୀ । ପାକିସ୍ତାନ ପାଇଁ ଭାରତର ଏୟାର ସ୍ପେସ୍ ବନ୍ଦ ଏବେ ମହଙ୍ଗା ହେବ ।  ପାକିସ୍ତାନର କୌଣସି ବିମାନ ଭାରତୀୟ ବାୟୁସୀମା ଦେଇ ଉଡ଼ାଣ କରି ପାରିବ ନାହିଁ । ପାକିସ୍ତାନରେ ପଞ୍ଜିକୃତ, ପରିଚାଳିତ ଏବଂ ଲିଜରେ ନେଇଥିବା ବିମାନ, ପାକିସ୍ତାନ ଏୟାର ଲାଇନ୍ସ ଏବଂ ସେନା ଉଡ଼ାଣ ପାଇଁ ଏୟାର ସ୍ପେସ୍ ବନ୍ଦ କଲା ଭାରତ । ୬ ଦିନ ପୂର୍ବରୁ ଭାରତୀୟ ଏୟାରଲାଇନ୍ସ ବିମାନ ପାଇଁ ଏୟାର ସ୍ପେସ୍ ବନ୍ଦ କରିଥିଲା ପାକିସ୍ତାନ ।

ଭାରତ ଏୟାରସ୍ପେସ୍ ବନ୍ଦ କରିବା ଯୋଗୁଁ ପାକିସ୍ତାନରେ ବିମାନ ଉଡାଣରେ ସମସ୍ୟା ହେବ । ଏଭିଏସନ୍ ଏକ୍ସପର୍ଟଙ୍କ ମତରେ, ଭାରତର କଟକଣା ଯୋଗୁଁ ବିମାନ ଉଡାଣ ଅବଧି ବଢିବ । ଫଳରେ ଡେଷ୍ଟିନେସନ୍ ଆଧାରରେ ଅନେକ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ବା ପିଆଇଏ ବିମାନ ଉଡାଣ ଅବଧି, ଘଣ୍ଟେରୁ ଦୁଇଘଣ୍ଟା ବଢି ଯାଇପାରେ । ଅତିରିକ୍ତ ଉଡାଣ ସମୟ ପାଇଁ ଅଧିକ ଇନ୍ଧନ ସାଙ୍ଗକୁ ଅଧିକ ସମୟର କ୍ରୁ ଡ୍ୟୁଟି ବି ଆବଶ୍ୟକ ହେବ। ତେଣୁ କିଛି ପିଆଇଏ ବିମାନସେବାକୁ ରିସିଡ୍ୟୁଲ ବା କମାଇବାକୁ ପଡିବ ।