ମାଷ୍ଟରକ୍ୟାଣ୍ଟିନର ଘୋଡା ମୂର୍ତ୍ତି ଉଠିବ!

ଭୁବନେଶ୍ୱର: ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ସ୍ଥାପତ୍ୟପୂର୍ଣ୍ଣ ଘୋଡା ମୂର୍ତ୍ତି ସେଠାରୁ ଉଠିବ । ଏହି ମୂର୍ତ୍ତିକୁ ସେଠାରୁ ଉଠାଇ ରାଜଭବନ ସାମ୍ନାକୁ ସ୍ଥାନାନ୍ତର କରାଯିବ । ସ୍ମାର୍ଟ ଜନପଥର ବିକାଶ ପାଇଁ ଏହି ନିଷ୍ପତ୍ତି ହୋଇଛି।
ମାଷ୍ଟର କ୍ୟାଣ୍ଟିନ ଛକ ଦେଇ ମଲ୍ଟି ମୋଡାଲ ହବ୍ ନିର୍ମାଣ ଲାଗି ଯୋଜନା ରହିଛି। ଏହାସହ ମାଷ୍ଟର କ୍ୟାଣ୍ଟିନ ଦେଇ ଫ୍ଲାଏ ଓଭର ନିର୍ମାଣ ହେଲେ ଏହି ଛକରେ ଥିବା ଘୋଡ଼ା ଏବଂ ଯୋଦ୍ଧା ମୂର୍ତ୍ତି ସୌନ୍ଦର୍ଯ୍ୟହାନୀ ଘଟିବ। ସେଥିପାଇଁ ମାଷ୍ଟର କ୍ୟାଣ୍ଟିନରେ ଥିବା ଏହି ମୂର୍ତ୍ତିକୁ ସ୍ଥାନାନ୍ତର କରିବା ଜରୁରୀ ଥିଲା ବୋଲି ସଂସ୍କୃତି ବିଭାଗ ନିର୍ଦ୍ଦେଶକ କହିଛନ୍ତି। ଗତ ୮ ତାରିଖରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଘୋଡା ଏବଂ ଯୋଦ୍ଧା ମୂର୍ତ୍ତିର ସ୍ଥାନାନ୍ତର ପ୍ରକ୍ରିୟା ମାସକ ମଧ୍ୟରେ ସରିବ। ରାଜଭବନର ଗୋଲେଇ ଛକରେ ଏହି ଘୋଡ଼ା ଏବଂ ଯୋଦ୍ଧା ମୂର୍ତ୍ତିକୁ ସ୍ଥାପନ କରାଯିବ। ମାଷ୍ଟର କ୍ୟାଣ୍ଟିନ ଛକରେ ଏହି ମୂର୍ତ୍ତିକୁ ୧୯୮୮ ମସିହାରେ ସ୍ଥାପନ କରାଯାଇଥିଲା। ସ୍ଥପତି ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର ଏହି ମୂର୍ତ୍ତିର ନିର୍ଣାଣ କରିଥିଲେ।
ତେବେ ଏହି ସ୍ଥାନାନ୍ତରକୁ ଉଭୟ ବିଜେପି ଓ କଂଗ୍ରେସ ବିରୋଧ କରିଛି । ମୂର୍ତ୍ତି ସ୍ଥାନାନ୍ତରକୁ ବନ୍ଦ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି କୁହାଯାଇଛି ।