ଉତ୍ତରାଖଣ୍ଡର ଚମୋଲୀ ଜିଲ୍ଲା ଯୋଶୀମଠ ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ହେଲିକପ୍ଟରରେ ଜଣେ ପାଇଲଟ ଓ ୫ ଜଣ ଯାତ୍ରୀ ଥିଲେ। ସମସ୍ତଙ୍କର ମୃତ୍ୟୁ ଘଟିଛି । ମୃତ ପାଇଲଟଙ୍କ ନାଁ ହିମାଂଶୁ। ତାଙ୍କ ଘର ଦିଲ୍ଲୀରେ। ମୃତ ଯାତ୍ରୀମାନେ ହେଉଛନ୍ତି, ପ୍ରତାପ, ଅରୁଣ, ଶଙ୍କର ଗୌଡ଼, ସୁଧୀର କେ ଓ ଏସ୍ଏସ୍ ନଟରାଜ। ଏମାନେ ସମସ୍ତେ କର୍ଣ୍ଣାଟକାର। ଅରୁଣ ବେଙ୍ଗାଲୁରୁ ପୁଲିସ୍ କ୍ରାଇମବ୍ରାଞ୍ଚରେ ଇନ୍ସପେକ୍ଟର ଭାବେ କାର୍ୟ୍ୟ କରୁଥିଲେ।

ହେଲିକପ୍ଟରଟି ବଦ୍ରିନାଥରୁ ଡେରାଡୁନ ଫେରୁଥିବା ବେଳେ ଯୋଶୀମଠ ଅଞ୍ଚଳରେ ମାରୱାଡ଼ି ବ୍ରିଜ୍ ଉପରେ ଓ ଜେପି ପାୱାର ହାଉସ୍ ଆଡ଼କୁ ଥିବା ପାହାଡ଼ିଆ ସ୍ଥାନରେ ଖସି ପଡ଼ିଥିଲା। ବଦ୍ରିନାଥରୁ ଫେରୁଥିବା ବେଳେ ଯୋଶୀମଠ ଅଞ୍ଚଳରେ ଏହା ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏହା ପରେ ପରେ ହେଲିକପ୍ଟରଟି ସେହି ଅଞ୍ଚଳରେ ଖସି ପଡ଼ିଥିବା ଜଣାପଡ଼ିଥିଲା। ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ପୁଲିସ୍ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଉଦ୍ଧାର କାର୍ୟ୍ୟ ପାଇଁ ସ୍ଥାନୀୟ ପୁଲିସ୍, ଏସ୍ଡିଆରଏଫ୍, ସେନା ଓ ଆଇଟିବିପିର ଯବାନଙ୍କୁ ଘଟଣାସ୍ଥଳକୁ ପଠାଯାଇଥିଲା।