ସୁନା ମୁଦି ଖୋଲିଲା ହତ୍ୟା ରହସ୍ୟ, ୬ ଘଣ୍ଟାରେ ଧରାପଡ଼ିଲା ଅଭିଯୁକ୍ତ

ସୁନା ମୁଦି ଖୋଲିଦେଲା ହତ୍ୟାର ରହସ୍ୟ । ୬ ଘଣ୍ଟାରେ ଧରାପଡ଼ିଲା ଅଭିଯୁକ୍ତ । ତାମିଲନାଡୁର କନ୍ୟାକୁମାରୀ ଜିଲ୍ଲା ନାଗରକୋଏଲ ରେଳୟାର୍ଡରେ ଏହି ଘଟଣା ଘଟିଛି । ଏକ ରେଳ ଡବା ଭିତରୁ ମିଳିଥିଲା ୫୪ ବର୍ଷୀୟ ମହିଳାଙ୍କ ମୃତଦେହ। ମହିଳାଙ୍କୁ ଦୁଷ୍କର୍ମ ପରେ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡ଼ିବା ପରେ ରେଳବାଇ ପୁଲିସ ଆରମ୍ଭ କରିଥିଲା ତଦନ୍ତ। ହେଲେ ମୃତ ମହିଳାଙ୍କ ପରିଚୟ ଜାଣିବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ଶେଷରେ ମହିଳାଙ୍କ ହାତରେ ଥିବା ଏକ ସୁନା ମୁଦି ଖୋଲିଥିଲା ଏହି ହତ୍ୟାକାଣ୍ଡର ରହସ୍ୟ। ଏପରିକି ମାତ୍ର ୬ ଘଣ୍ଟା ମଧ୍ୟରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ରେଳୟାର୍ଡରେ ରଖାଯାଇଥିବା ଏକ ଅବ୍ୟବହୃତ ଟ୍ରେନ୍ ଡବା ଭିତରେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଅନ୍ୟ ଏକ ଟ୍ରେନ୍‌ରେ ଲଗାଯିବା ପାଇଁ ଡବାଟିକୁ ସଫା କରାଯାଉଥିବା ବେଳେ ମୃତଦେହ ମିଳିଥିଲା।

ମହିଳାଙ୍କ ପରିଚୟ ଜାଣିବାକୁ ପୁଲିସ ତଦନ୍ତ କରିଥିଲା। ତେବେ ତାଙ୍କ ହାତରେ ଥିବା ସାପ ଆକୃତିର ଏକ ସୁନା ମୁଦି ପୁଲିସକୁ ବଡ଼ ସୁରାକ୍ ଦେଇଥିଲା। ମୁଦିରେ ଥିବା ହଲମାର୍କ ତଥ୍ୟ ଆଧାରରେ ଏହା ଗୁଜରାଟରୁ ଆସିଥିବା ଜଣାପଡ଼ିଥିଲା। ପରେ ଏହା ଛତିଶଗଡ଼ର ରାୟପୁରସ୍ଥିତ ଏକ ଗହଣା ଦୋକାନକୁ ଯୋଗାଇ ଦିଆଯାଇଥିବା ଜଣାପଡ଼ିଥିଲା। ଦୋକାନରୁ ମିଳିଥିବା ତଥ୍ୟ ଆଧାରରେ ପୁଲିସ ମହିଳାଙ୍କ ପାନ୍ କାର୍ଡ ଓ ମଧ୍ୟପ୍ରଦେଶର ଠିକଣା ହାସଲ କରିଥିଲା।