ଜୟପୁର : ଭଗବାନଙ୍କ ସବୁଠାରୁ ସୁନ୍ଦର ସୃଷ୍ଟି ହେଉଛି ମାଆ । ତ୍ୟାଗ ଆଉ ତପସ୍ୟାର ପ୍ରତୀକ ମାଆ । ମାଆ ଏପରି ଏକ ଶବ୍ଦ, ଯାହାକୁ ବର୍ଣ୍ଣନା କରିବାକୁ ଶବ୍ଦରେ କମ୍ ପଡେ । ଅୟୁତ ବ୍ରହ୍ମାଣ୍ଡ ବିଲୀନ ହୋଇଯାଏ, ଏଇ ଶବ୍ଦର ଗଭୀରତାରେ । ସେଥିପାଇଁ ତ ମାଆ ହେଉଛି ମମତାର ଦେବୀ । ନିଜେ ଜଳି ସନ୍ତାନଙ୍କୁ ଆଲୋକ ଦେଖାଏ ମାଆ । ସେ କେବଳ ସନ୍ତାନର ଲାଳନପାଳନ କରେ ନାହିଁ ବରଂ ତା ଭିତରେ ସଂସ୍କାର ମଞ୍ଜି ବୁଣିବାର ସବୁଠାରୁ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଥାଏ । ମାଆର ପଣତକାନି ସନ୍ତାନ ପାଇଁ ଦୁନିଆର ସବୁଠୁ ଶେଷ୍ଠ ସୁରକ୍ଷିତ ଆଶ୍ରୟ ସ୍ଥଳ । ମାଆ କୋଳରୁ ଆରାମ ଦାୟକ ସ୍ଥାନ ଆଉ କେଉଁଠି ନଥାଏ । ମାଆ ର ସହନଶୀଳତା ଆଉ ଧର୍ଯ୍ୟ ଆଗରେ ପଥର ବି ମୁଣ୍ଡ ନୁଆଁଇଥାଏ । ତେବେ ଏମିତି ଏକ ସହନଶୀଳ ମାଆ ବିକଳାଙ୍ଗ ହୋଇ ମଧ୍ୟ ନିଜ ଛୋଟ ଶିଶୁକୁ ପିଠିରେ କାନ୍ଧେଇ ଶ୍ରୀ ରାମ ନବମୀ ଶୋଭାଯାତ୍ରାର ଆନନ୍ଦ ନେବା ସହିତ ମୋବାଇଲରେ ରେକଡ଼ କରୁଥିବା ଦେଖିବାକୁ ମିଳିଥିଲା କୋରାପୁଟ ଜିଲ୍ଲାର ଜୟପୁର ସହରରେ । ଯାହାକୁ ଦେଖିବା ପରେ ମାଆ ର ଛୁଆ ପ୍ରତି ପ୍ରେମ, ଭଲପାଇବା, ସ୍ନେହ, ମମତା, ତ୍ୟାଗ ର ଗଭୀରତା ଜଣାପଡିଥିଲା ।