ବନ୍ଧା ହେଲେ ଡାକ୍ତର !

କଟକ : ଡାକ୍ତରଙ୍କୁ ଭଗବାନଙ୍କ ଆଖ୍ୟା ଦିଆଯାଏ,କାରଣ ସେମାନେ ଆମକୁ ବିଭିନ୍ନ ପ୍ରକାର ରୋଗରୁ ରକ୍ଷା କରି ନୂଆ ଜୀବନ ଦେଇଥାଆନ୍ତି । କିନ୍ତୁ କଟକରୁ ଜଣେ ଚମ୍ପଟ ଡାକ୍ତରଙ୍କୁ ବାନ୍ଧିଛି ପୋଲିସ୍ । ଠକେଇ ଅଭିଯୋଗରେ ବନ୍ଧା ହୋଇଛନ୍ତି କଟକର ଜଣେ ଡାକ୍ତର। ଗିରଫ ଡାକ୍ତର ହେଉଛନ୍ତି ଅବିନାଶ ଶତପଥୀ।କଟକ ଜିଲ୍ଲା ମଙ୍ଗଳାବାଗ ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଠାରୁ ମାସିକ ଭଡ଼ା ସୂତ୍ରରେ ଗାଡ଼ି ନେଇ ଫେରାର୍ ହୋଇଯାଇଥିଲେ ଡାକ୍ତର ବାବୁ।
ଅବିନାଶ ଏସିସିବି ମେଡିକାଲରେ ଇଣ୍ଟର୍ନସିପ କରିବା ସମୟରେ ଏକ କାରକୁ ମାସିକ ଭଡ଼ା ସୂତ୍ରରେ ନେଇଥିଲେ। କିଛି ଦିନ ପରେ ଗାଡ଼ି ମାଲିକ ଅବିନାଶଙ୍କୁ ଫୋନ୍ କରିଥିଲେ। ହେଲେ ସେ ଆଉ ଧରାଛୁଆଁ ଦେଇ ନଥିଲେ । ବାରମ୍ବାର ଫୋନ୍ କରିବା ସତ୍ତ୍ୱେ ଅବିନାଶ ଫୋଲ୍ ରିସିଭ ନକରିବାରୁ ,ଗାଡି ମାଲିକ ବାଧ୍ୟ ହୋଇ ମଙ୍ଗଳାବାଗ ଥାନାରେ ଡାକ୍ତରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ୍‌, ଅନେକ ଦିନ ଖୋଜା ଖୋଜି ପରେ ଅବିନାଶ ଏକ ଘରୋଇ ହସ୍ପିଟାଲରେ କାମ କରୁଥିବାର ଜାଣିବାକୁ ପାଇଥିଲା ପୋଲିସ୍ । ଆଉ ଏହାପରେ ମଙ୍ଗଳାବାଗ ଥାନା ପୋଲିସ୍ ସେଠାରେ ପହଞ୍ଚି ଅବିନାଶଙ୍କୁ ଗିରଫ କରିଛି ।