ନିଖୋଜ ଇତିଶ୍ରୀଙ୍କୁ ନପାଇ ନିରାଶ ହୋଇ ଓଡିଶା ଫେରିଲେ ପରିବାର

ରିପୋର୍ଟର୍ସ ଟୁଡେ ବ୍ୟୁରୋ; ନିରାଶ ହୋଇ ଫେରିଲେ ଇତିଶ୍ରୀଙ୍କ ପରିବାର । ସିକ୍କିମ ଦୁର୍ଘଟଣାକୁ ୪ଦିନ ବିତିଯାଇତିଲେ ସୁଦ୍ଧା ବି ଇତିଶ୍ରୀ ଜେନାଙ୍କୁ ଖୋଜି ପାଉନାହାନ୍ତି ରେସକ୍ୟୁ ଟିମ୍ । ସିକ୍କିମ୍‌ ବୁଲିବାକୁ ଯାଇ ନିଖୋଜ ହୋଇଯାଇଥିବା ୬ ଜଣ ଓଡ଼ିଆଙ୍କ ଏଯାଏଁ ଖୋଜ ଖବର ମିଳିନାହିଁ । ହେଲେ ସେମାନଙ୍କର କିଛି ଜିନିଷ ଉଦ୍ଧାର ହୋଇଛି । ଯାହାକୁ ଦେଖି ପରିବାର ଲୋକ ନିଜର କୋହକୁ ସମ୍ଭାଳି ପାରୁନାହାନ୍ତି । ନିଖୋଜ ଥିବା ଲୋକଙ୍କର ୬ଟି ମୋବାଇଲ, ହ୍ୟାଣ୍ଡ୍‌ ବ୍ୟାଗ ତିସ୍ତା ନଦୀରୁ ଉଦ୍ଧାର କରାଯାଇଛି । ତେବେ ଓଡ଼ିଶା ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ ସମ୍ପାଦିକା ଇତିଶ୍ରୀ ଜେନା ଓ ତାଙ୍କ ପରିବାର ସହ ୧୧ଜଣ ସଦସ୍ୟ ସିକ୍କିମ୍‌ ବୁଲିବାକୁ ଯାଇଥିଲେ । ହେଲେ ଏହି ବୁଲିବା ସେମାନଙ୍କ ପାଇଁ କାଳ ସାଜିବ କିଏ ବା ଜାଣିଥିଲା । ଗୁରୁବାର ରାତିରେ ତିସ୍ତା ନଦୀକୁ ବସ୍ ଖସି ପଡ଼ିବା ଫଳରେ ଇତିଶ୍ରୀଙ୍କ ସହ ଏବେ ବି ୬ ଜଣ ନିଖୋଜ ଅଛନ୍ତି । ଯାହାଙ୍କୁ ଏବେ ବି ଅପେକ୍ଷା କରି ବସିଛନ୍ତି ପରିବାର ଲୋକେ । ହେଲେ ସେମାନଙ୍କୁ ଖୋଜି ପାଉନାହାନ୍ତି ରେସକ୍ୟୁ ଟିମ୍ । କାରଣ ସିକ୍କିମରେ ପ୍ରବଳ ବର୍ଷା ଯୋଗୁ ତିସ୍ତା ନଦୀରେ ପାଣିର ସୁଅ ବଢିବାରେ ଲାଗିଛି । ଯେଉଁକାରଣରୁ ଖୋଜିପାଇବାରେ ବି ଅସୁବିଧା ହେଉଛି ।

ଅନ୍ୟପଟେ ଇତିଶ୍ରୀଙ୍କ ପୁଅ ଏବଂ ପୁତରାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଉଭୟ ଏବେ  ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ଚିକିତ୍ସାରେ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଲାଗିଛନ୍ତି । ଉଭୟଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପରିବାର ଓ ଆତ୍ମୀୟସ୍ବଜନ ।