ପୁରୀ: ଜନ୍ମବେଦୀରେ ଦାରୁବ୍ରହ୍ମ । ଆଡପ ମଣ୍ଡପରେ ରହି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ହଜାର ହଜାର ଭକ୍ତ ଭଗବାନଙ୍କ ଦର୍ଶନ ପାଇବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ସକାଳୁ ସକାଳୁ ଭିଡ ଲଗାଇଛନ୍ତି । ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ା ପାଇବାରୁ ଲକ୍ଷାଧିକ ଭକ୍ତ ଉତ୍କଣ୍ଠାର ସହ ଚାହିଁ ରହିଥିଲେ । ଭକ୍ତମାନେ ଶୃଙ୍ଖଳିତ ଭାବେ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ସେପଟେ ଆଜିଠୁ ଭକ୍ତମାନଙ୍କୁ ମିଳିବ ଆଡ଼ପ ଅବଢ଼ା ।

ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଚକ୍ରରାଜ ସୁଦର୍ଶନଙ୍କ ସହ ତିନି ଠାକୁର ଗୋଟି ପହଣ୍ଡିରେ ଜନ୍ମବେଦୀରେ ବିରାଜମାନ କରିଛନ୍ତି । ରଥରୁ ଓହ୍ଲାଇ ପ୍ରଥମେ ସୁଦର୍ଶନ ପରେ ବଳଭଦ୍ର ଓ ସୁଭଦ୍ରା ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିବା ପରେ ଶେଷରେ କାଳିଆ ଠାକୁର ରଥରୁ ଓହ୍ଲାଇ ଜନ୍ମବେଦୀରେ ବିଜେ କରିଛନ୍ତି । ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିବା ସମୟରେ ଶରଧା ବାଲିରେ ଲକ୍ଷଲକ୍ଷ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା । ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳି, ନୃତ୍ୟ ଓ ଭଜନ କିର୍ତ୍ତନରେ ଶରଧାବାଲି ଦୁଲୁକୁଥିବା ଦେଖିବାକୁ ମିଳିଥିଲା ।

ଅନ୍ୟପଟେ ଆଜି ଆଡ଼ପ ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ । ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ଖାଲି ସେତିକି ନୁହେଁ ଆଜି ଭକ୍ତ ମାନେ ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ଆଡପ ଅବଢ଼ା ମଧ୍ୟ ସେବନ କରିପାରିବେ। ଆଜିଠାରୁ ଭକ୍ତମାନେ ଆଡ଼ପ ଅବଢ଼ା ପାଇପାରିବେ। ଏହି ଅବଢ଼ା ଶ୍ରଦ୍ଧାଳୁଙ୍କୁ ୬ ଦିନ ଯାଏ ମିଳିବ ।
