ଘରୋଇ ମାଟିରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଆରମ୍ଭ କରିବ ଭାରତ। ରବିବାର ଖେଳାଯିବା ପ୍ରଥମ ମ୍ୟାଚ୍ରେ ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ। ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ଟ୍ବେଣ୍ଟି-୨୦ ଦଳ ଜାପାନରେ ଥିଲେ ମଧ୍ୟ ଦିନିକିଆ ଦଳରେ ପ୍ରମୁଖ ଖେଳାଳିମାନେ ସାମିଲ ଅଛନ୍ତି। କେବଳ ଯଶପ୍ରୀତ ବୁମ୍ରାଙ୍କୁ ବିଶ୍ରାମ ଦିଆଯାଇଛି।
ଅଧିନାୟକ ଶୁଭମନ ଗିଲ୍ଙ୍କ ସହ ରୋହିତ ଶର୍ମା ଓପନିଂ କରିବାର ସମ୍ଭାବନା ରହିଛି। ରୋହିତଙ୍କ ଉପରେ ପୁଣିଥରେ ନଜର ରହିବ। ମଧ୍ୟକ୍ରମରେ ବିରାଟ କୋହଲି, ଋତୁରାଜ ଗାଏକ୍ୱାଡ ଓ କେ.ଏଲ୍. ରାହୁଲ ଦାୟିତ୍ବ ସମ୍ଭାଳିବେ। ରବୀନ୍ଦ୍ର ଜାଡ଼େଜାଙ୍କ ପ୍ରତ୍ୟାବର୍ତ୍ତନ ଦଳକୁ ଅଧିକ ଶକ୍ତିଶାଳୀ କରିଥିବାବେଳେ ନୀତୀଶ କୁମାର ରେଡ୍ଡୀ ଦ୍ବିତୀୟ ଅଲ୍ରାଉଣ୍ଡର ଭାବେ ଖେଳିପାରନ୍ତି। କୁଲଦୀପ ଯାଦବ ସ୍ପିନ୍ ବିଭାଗରେ ଜାଡ଼େଜାଙ୍କ ସହ ରହିବେ। ପେସ୍ ଆକ୍ରମଣର ନେତୃତ୍ବ ନେବେ ମହମ୍ମଦ ସିରାଜ୍ ଓ ପ୍ରସିଦ୍ଧ କୃଷ୍ଣ।
ଅନ୍ୟପକ୍ଷରେ, ସିମ୍ରନ୍ ହେତ୍ମେୟର ଆହତ ଥିବାରୁ ୱେଷ୍ଟଇଣ୍ଡିଜ୍ ଦଳରେ ନାହାନ୍ତି। ତେବେ ଅଧିନାୟକ ସାଇ ହୋପ୍, ଜନ୍ କ୍ୟାମ୍ପବେଲ୍, କିସି କାର୍ଟି, ସେର୍ଫାନେ ରଦରଫୋର୍ଡ ଓ ରୋଷ୍ଟନ୍ ଚେଜ୍ଙ୍କ ଉପରେ ବ୍ୟାଟିଂ ଦାୟିତ୍ବ ରହିବ। ବୋଲିଂ ବିଭାଗରେ ଆଲ୍ଜାରି ଜୋଶେଫ୍, ସାମର ଜୋଶେଫ୍ ଓ ଜେଡେନ୍ ସିଲ୍ସ ଭାରତୀୟ ବ୍ୟାଟରଙ୍କୁ ପରୀକ୍ଷା କରିପାରନ୍ତି।
ଭାରତ ବିପକ୍ଷରେ ଗତ ୧୮ଟି ଦିନିକିଆରୁ ୱେଷ୍ଟଇଣ୍ଡିଜ୍ ମାତ୍ର ୩ଟିରେ ବିଜୟୀ ହୋଇଛି। ୨୦୦୬ ପରଠାରୁ ଭାରତ ବିପକ୍ଷରେ କୌଣସି ଦିନିକିଆ ଶୃଙ୍ଖଳା ଜିତିନଥିବା ୱେଷ୍ଟଇଣ୍ଡିଜ୍ ଏଥର ୨୦ ବର୍ଷର ଅପେକ୍ଷାର ଅନ୍ତ ଘଟାଇବାକୁ ଲକ୍ଷ୍ୟ ରଖିଛି। ତେବେ ଘରୋଇ ପରିବେଶରେ ଭାରତ ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ।