ନୂଆଦିଲ୍ଲୀ: ଶନିବାର ଦିନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଆକାଶ ଦୀପ ୫ଟି ୱିକେଟ୍ ହାସଲ କରିଛନ୍ତି। ଏହା ସହିତ ସେ ନ୍ୟୁଜିଲ୍ୟାଣ୍ଡରେ ଏଭଳି ସଫଳତା ହାସଲ କରିବାରେ ପଞ୍ଚମ ଭାରତୀୟ ଦ୍ରୁତ ବୋଲର ହୋଇପାରିଛନ୍ତି।
ଆକାଶ ଦୀପ ନିଜର ୩୧.୩ ଓଭର ବୋଲିଂ କରି ୯୯ ରନ୍ ବିନିମୟରେ ୫ଟି ୱିକେଟ୍ ନେଇଛନ୍ତି। ସେ ଟମ୍ ଲାଥମ୍, ରଚିନ୍ ରବୀନ୍ଦ୍ର, ନାଥନ୍ ସ୍ମିଥ୍, କାଇଲ୍ ଜେମିସନ୍ ଏବଂ ମ୍ୟାଟ୍ ହେନରୀଙ୍କ ୱିକେଟ୍ ନେଇଥିଲେ।

ଦ୍ୱିତୀୟ ଦିନରେ ନ୍ୟୁଜିଲ୍ୟାଣ୍ଡର ପ୍ରଥମ ଇନିଂସ୍ ୩୫୬ ରନରେ ସମାପ୍ତ ହୋଇଥିଲା। ଏଥିରେ ଟମ୍ ବ୍ଲଣ୍ଡେଲ୍ ୮୯ ରନ୍ ଏବଂ ଟମ୍ ଲାଥମ୍ ୫୯ ରନ୍ ସଂଗ୍ରହ କରିଥିଲେ। ଏହାର ଜବାବରେ ଭାରତୀୟ ଦଳ ୧୧୬ ରନରେ ୬ଟି ୱିକେଟ୍ ହରାଇ ସଙ୍କଟରେ ପଡ଼ିଛି ଏବଂ ଘରୋଇ ଦଳ ଠାରୁ ଏବେ ମଧ୍ୟ ୨୪୦ ରନ୍ ପଛରେ ରହିଛି।
ମଦନ ଲାଲ୍, ଜାଭାଗଲ ଶ୍ରୀନାଥ, ଇଶାନ୍ତ ଶର୍ମା ଏବଂ ଜାହିର ଖାନଙ୍କ ପରେ ଏହି ସଫଳତା ହାସଲ କରିବାରେ ଆକାଶ ଦୀପ ହେଉଛନ୍ତି ପଞ୍ଚମ ଭାରତୀୟ ଦ୍ରୁତ ବୋଲର। ନ୍ୟୁଜିଲ୍ୟାଣ୍ଡରେ ଜଣେ ଭାରତୀୟ ଦ୍ରୁତ ବୋଲର ଭାବରେ ସର୍ବାଧିକ ୪ ଥର ଗୋଟିଏ ଇନିଂସରେ ୫ଟି ୱିକେଟ୍ ନେବାର ରେକର୍ଡ ଜାହିର ଖାନଙ୍କ ନାମରେ ରହିଛି ।

ସେ ୭ଟି ଟେଷ୍ଟ ମ୍ୟାଚରେ ଏହି ସଫଳତା ପାଇଥିଲେ। ଇଶାନ୍ତ ଶର୍ମା ୬ଟି ମ୍ୟାଚରେ ୩ ଥର ୫ଟି ୱିକେଟ୍ ନେଇଥିବା ବେଳେ ମଦନ ଲାଲ୍, ଶ୍ରୀନାଥ ଏବଂ ଆକାଶ ଦୀପ ପ୍ରତ୍ୟେକ ଥରେ ଲେଖାଏଁ ୫ଟି ୱିକେଟ୍ ନେଇଛନ୍ତି।