ଲିଙ୍ଗରାଜ ଜମି ଦୁର୍ନୀତି ହେରଫେର ମାମଲାରେ ଏୟାରପୋର୍ଟ ଥାନାରେ ନବୀନଙ୍କ ନାଁରେ ଅଭିଯୋଗ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ଭଉଣୀ ଗୀତା ମେହେଟାଙ୍କ ନାମରେ ଆସିଛି ଏକ ଜମି ଦୁର୍ନୀତି ଅଭିଯୋଗ | ଏନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଛି ଏୟାରପୋର୍ଟ ଥାନାରେ | ତେବେ ସୂଚନା ଅନୁସାରେ ଭୁବନେଶ୍ୱର ଭୀମପୁର ମୌଜାରେ ଥିବା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ୨ ଏକର ୧୩୩ ଡେସିମିଲି ଜମିକୁ ବେଆଇନ ଭାବେ ପଟ୍ଟାଭୁକ୍ତ କରାଯାଇଛି ବୋଲି ଅଭିଯୋଗ ହୋଇଛି ତାହା ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ଭଉଣୀ ଗୀତା ମେହେଟାଙ୍କ ନାମରେ | ତେବେ ଏନେଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏୟାରପୋର୍ଟ ଥାନାରେ ଏତଲା ଦିଆଯାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ | ସେଥିପାଇଁ ସୋମବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଭାରତୀୟ ବିକାଶ ପରିଷଦ | ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଗୋପାଳ ପ୍ରସାଦ ଜେନା ମାମଲା ପରିଚାଳନା କରୁଥିବା ନେଇ ସୂଚନା ରହିଥିବା ବେଳେ ପୋଲିସକୁ ଏହି ମାମଲା ରୁଜୁ କରିବା ପାଇଁ ହାଇକୋର୍ଟ ନିର୍ଦେଶ ଦେବା ନିମନ୍ତେ ଆବେଦନରେ ଅନୁରୋଧ କରାଯାଇଥିବା ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି | ଏହି ମାମଲାରେ ପ୍ରମୁଖ ଶାସନ ସଚିବ ,ଗୃହ ବିଭାଗ ,ଭୁବନେଶ୍ୱର ଡିସିପି ଏବଂ ଏୟାରପୋର୍ଟ ଥାନାର ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି | ଏପର୍ଯ୍ୟନ୍ତ ଏହି ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ | ରାଜ୍ୟ ଶାସନର ବଡବଡିଆଙ୍କ ନାଁରେ ଅଭିଯୋଗ ଆସିଥିବାରୁ ତାଙ୍କ ଉପରେ ଆଇନ କଣ ପଦକ୍ଷେପ ରହୁଛି ତାହା ଉପରେ ସମସ୍ତିଙ୍କ ନଜର ରହିଛି | ଜମି ଦୁର୍ନୀତି ଅଭିଯୋଗ ହେବାପରେ ଓଡ଼ିଶାର ଏକ ପ୍ରମୁଖ ଖବର କାଗଜରେ ଗତ ୧୫ ତାରିଖରେ ଏନେଇ ଏକ ଖବର ପ୍ରକାଶ ପାଇଥିଲା |