କଟକ ଖାନ୍‌ନଗର ନିର୍ମାଣଧୀନ ବ୍ରିଜ ଭୁଶୁଡ଼ିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି

ଭୁବନେଶ୍ବର-: କଟକ ଖାନ୍‌ନଗରରେ ବ୍ରିଜ୍ ନିର୍ମାଣ ସମୟରେ  ଘଟିଥିବା ଅଘଟଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି। ଏନେଇ ସେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି । ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ଏବଂ ଦୁର୍ଘଟଣାରେ ଆହତଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତ।

ସୂଚନା ଯୋଗ୍ୟ, କଟକ ଖାନ୍‌ନଗର ଅଞ୍ଚଳରେ ଏକ ବ୍ରିଜ ନିର୍ମାଣ କାମ ଚାଲିଥିବା ବେଳେ ହଠାତ୍‌ ବ୍ରିଜର ସ୍ଲାବ ଭୁଶୁଡ଼ି ପଡିଥିଲା । ଫଳରେ ୫ଜଣ ଚାପି ହୋଇ ଗୁରୁତର ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରି ବଡ଼ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱୀତ କରିଥିବା ଜଣାପଡ଼ିଛି ।