ଛତ୍ରପୁର ଆର୍‌ଟିଓ କାର୍ଯ୍ୟାଳୟରେ ଅଚାନକ ଚଢ଼ଉ , ଲାଇସେନ୍ସ କରାଉଥିବା ୪ ଦଲାଲ ଗିରଫ

ଗଞ୍ଜାମ (ରଜନୀକାନ୍ତ ପାତ୍ର) : ଗଞ୍ଜାମ ଜିଲ୍ଲା ପରିବହନ(ଆର୍‌ଟିଓ) କାର୍ଯ୍ୟାଳୟରେ ବହୁଦିନ ବ୍ୟବଧାନରେ ଆଜି ପୁଣି ଅଚାନକ ପୁଲିସ ଚଢ଼ଉ କରିଛି। ଚଢ଼ଉ ବେଳେ ଛତ୍ରପୁର ପୁଲିସ ୪ ଜଣ ଦଲାଲ୍‌ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ, ଛତ୍ରପୁର ଥାନା କୁମାରବେଗପଲ୍ଲୀ ଗ୍ରାମର ରବୀନ୍ଦ୍ର କୁମାର ଗୌଡ଼, ପାଲିଆଛତ୍ରପୁରର ଜଗନ୍ନାଥ ସାହୁ, ଛତ୍ରପୁର କଲେଜ ଛକ ଅଞ୍ଚଳ ବାସିନ୍ଦା ମହମ୍ମଦ ଆଲାଉଦ୍ଦିନ୍ ଏବଂ ବ୍ରହ୍ମପୁର କାମ୍ପସାହି ତୃତୀୟ ଲାଇନ୍‌ର ପି.ଚନ୍ଦ୍ରଶେଖର। ସେମାନଙ୍କ ଠାରୁ ୭ଟି ଆର୍‌ସି ବୁକ୍ , ୧୨ଟି ଗାଡ଼ି ଲାଇସେନ୍ସ୍, ୮ଟି ଲର୍ଣ୍ଣିଂ ଲାଇସେନ୍ସ୍ ଓ ୪ଟି ମୋବାଇଲ୍ ସମେତ ବିଭିନ୍ନ ଆବେଦନ ପାଇଁ ଆବଶ୍ୟକ ପଡ଼ୁଥିବା ବିପୁଳ ପରିମାଣର ଫର୍ମ ଜବତ ହୋଇଛି। ଏନେଇ ଛତ୍ରପୁର ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ଗୌରହରି ସାହୁ ସୂଚନା ଦେଇଛନ୍ତି।