ଝାରବେର୍ଣ୍ଣି ସଂରକ୍ଷିତ ଜଙ୍ଗଲରେ ମାଈ ହାତୀର ମୃତଦେହ ଉଦ୍ଧାର

ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ ଅଧୀନ କୁଣ୍ଢେଇଗୋଳା ସେକ୍ସନର ଝାରବେର୍ଣ୍ଣି ଗ୍ରାମ ନିକଟସ୍ଥ ଝାରବେର୍ଣ୍ଣି ସଂରକ୍ଷିତ ଜଙ୍ଗଲ (KF)ରୁ ଏକ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଛି। ଗତ ୨୧ ଅଗଷ୍ଟ ୨୦୨୬ ରାତି ୧୦ଟା ୩୫ ମିନିଟ୍‌ରେ କୁଣ୍ଢେଇଗୋଳା ସେକ୍ସନର ଫରେଷ୍ଟରଙ୍କ ଠାରୁ ହାତୀ ମୃତ୍ୟୁ ସମ୍ପର୍କରେ ସୂଚନା ପାଇବା ପରେ ରିଆମାଳ ବନାଞ୍ଚଳ ଅଧିକାରୀଙ୍କ ସମେତ ବନ ବିଭାଗର କର୍ମଚାରୀ, ଆରଆରଟି ଟିମ୍‌ ଓ ବନ ସୁରକ୍ଷା ଦଳ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲେ। ପ୍ରାଥମିକ ତଦନ୍ତରୁ ହାତୀଟିର ମୃତ୍ୟୁ ସ୍ୱାଭାବିକ କାରଣରୁ ହୋଇଥିବା ସମ୍ଭାବନା ଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।

ତେବେ ହାତୀ ମୃତ୍ୟୁର  କାରଣ  ଶବ ବ୍ୟବଚ୍ଛେଦ  ରିପୋର୍ଟ ମିଳିବା ପରେ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି । ଶନିବାର ସକାଳେ  ଘଟଣାସ୍ଥଳରେ ଏଏସିଏଫ ସ୍ୱାଧୀନତା ସାହାଣୀ, ରିଆମାଳ ରେଞ୍ଜ ଅଫିସର  ନିରଞ୍ଜନ ଧରୁଆ, ରିଆମାଳ ବିଭିଓ ସଞ୍ଜୀବ କୁମାର ପାତ୍ରଙ୍କ ସମେତ ଦୁଇଜଣ ପ୍ରାଣୀ ଚିକିତ୍ସକ, ରାଉରକେଲା ସର୍କଲ RCCF କାର୍ଯ୍ୟାଳୟର ଆର ଓ ରାଜେଶ ରଜକ, ଦେବଗଡ଼ ବନଖଣ୍ଡର ବନ୍ୟପ୍ରାଣୀ ଜୀବବିଜ୍ଞାନୀ  ସୁଧୀରାଜ ଲେଙ୍କା, କୁଣ୍ଢେଇଗୋଳା ସେକ୍ସନର ଫରେଷ୍ଟର  ମନ୍ମଥ ବେହେରା, ଆର ଆର ଟି ଟିମ୍‌ର ଫରେଷ୍ଟର  ପୂର୍ଣ୍ଣଚନ୍ଦ୍ର ଦଳ, ଫରେଷ୍ଟ ଗାର୍ଡ ଏବଂ ରିଆମାଳ ରେଞ୍ଜର ବନ ସୁରକ୍ଷା ଦଳ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିବା ସହ ମୃତ ଦେହ ର  ବ୍ୟବଚ୍ଛେଦ କରିଥିଲେ। ହାତୀଟିର ମୃତ୍ୟୁକୁ ନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହି ଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ପରେ କାରଣ ସ୍ପଷ୍ଟ ହେବ ବୋଲି ଏଏସିଏଫ ଶ୍ରୀମତୀ ସାହାଣୀ ସୂଚନା ଦେଇଛନ୍ତି ।