ବୁଲଡୋଜର ନେଇଗଲା ବିଜେପି ନେତାଙ୍କ ପୁଅର ଜୀବନ

ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଲେଶ ଯାଦବଙ୍କ ପିଡିଏ ରଥଯାତ୍ରା ସମୟରେ ଜଣେ ୧୪ ବର୍ଷୀୟ ପିଲାର ଜୀବନ ଚାଲି ଯାଇଛି। ଗୋରଖପୁରରେ ଅଖିଲେଶ ଯାଦବ କରୁଥିବା ରାଲିରେ ସାମିଲ ଗୋଟିଏ ବୁଲଡୋଜର ଧକ୍କାରେ ନାବାଳକର ଜୀବନ ଯାଇଥିବା ଅଭିଯୋଗ ହୋଇଛି। ପ୍ରାଣ ହରାଇଥିବା ନାବାଳିକ ଜଣଙ୍କ ଉତ୍ତର ପ୍ରଦେଶର ଜଣେ ବିଜେପି ନେତାଙ୍କ ପୁଅ। ଅଖିଲେଶଙ୍କ ରାଲିରେ ବିଜେପି ନେତାଙ୍କ ୧୪ ବର୍ଷୀୟ ପୁଅ ପ୍ରାଣ ହରାଇବା ଘଟଣା ରାଜ୍ୟ ରାଜନୀତିକୁ ସରଗରମ କରିଛି। ନାବାଳକଙ୍କ ପରିବାର ଲୋକ ଓ ବିଜେପି କର୍ମୀମାନେ ଏବେ ଅଖିଲେଶ ଓ ରାଲି ଆୟୋଜକଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ଦାବି କରିଛନ୍ତି।
ପ୍ରାଣ ହରାଇଥିବା ୧୪ ବର୍ଷୀୟ ପିଲା ଜଣଙ୍କ ହେଉଛନ୍ତି ଆର୍ଯ୍ୟବର୍ଦ୍ଧନ ସିଂହ। ସେ କେନ୍ଦ୍ରୀୟ ବିଦ୍ୟାଳୟରେ ୧୦ମ ଶ୍ରେଣୀରେ ପଢ଼ୁଥିଲେ। ତାଙ୍କ ବାପା ହେଉଛନ୍ତି ଓମକାର ସିଂହ। ସେ ଗୋରଖପୁରରେ ବିଜେପିର ନିର୍ବାଚନ କମିଶନ କଣ୍ଟାକ୍ଟ ବିଭାଗ ପାଇଁ କାର୍ଯ୍ୟ କରନ୍ତି।
ତେବେ ଓମକାରଙ୍କ କହିବା କଥା ଯେ ମଧ୍ୟାହ୍ନ ସମୟରେ ଅଖିଲେଶ ଯାଦବଙ୍କ କନବୟ ଏହି ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ପୂରା ଘଟଣା ଘଟିଛି। ଆର୍ଯ୍ୟବର୍ଦ୍ଧନ ରାସ୍ତା ପାର ହୋଇ ନିଜ ଭଉଣୀଙ୍କ ସ୍କୁଲକୁ ଯାଉଥିଲେ। ସେଠାରୁ ସେ ଭଉଣୀଙ୍କୁ ଧରି ଘରକୁ ଫେରିବାର ଥିଲା। କିନ୍ତୁ ଆର୍ଯ୍ୟବର୍ଦ୍ଧନ ରାସ୍ତା ଅତିକ୍ରମ କରୁଥିବା ବେଳେ ଦ୍ରୁତଗାମୀ ବୁଲଡୋଜର ମେସିନ ତାଙ୍କୁ ପଛ ପଟୁ ଧକ୍କା ଦେଇଥିଲା।