ପ୍ରେମ ସମ୍ପର୍କକୁ ନେଇ ବିବାଦ, ଆତ୍ମାହୁତି ଘଟଣାରେ ଯୁବତୀଙ୍କ ମୃତ୍ୟୁ; ପୂର୍ବତନ ପ୍ରେମିକ ଗିରଫ

ଭୁବନେଶ୍ୱର: ଇନ୍ଫୋସିଟି ଥାନା ଅଞ୍ଚଳରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବତୀ କଳ୍ପନା ସାମଲଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଗତକାଲି ରାତିରେ ସେ ଜୀବନ ହାରିଥିବା ସୂଚନା ମିଳିଛି। ଏହି ଘଟଣାରେ ଯୁବତୀଙ୍କ ପୂର୍ବତନ ପ୍ରେମିକ ସୌମ୍ୟରଞ୍ଜନ ପ୍ରଧାନ (୨୫)ଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ବିରୋଧରେ BNS ଧାରା ୧୦୮ରେ ମାମଲା ରୁଜୁ ହୋଇଥିବା ବେଳେ ଆଜି କୋର୍ଟଚାଲାଣ କରାଯିବ।

ମୃତ କଳ୍ପନାଙ୍କ ଘର ଯାଜପୁର ଜିଲ୍ଲା ବଡ଼ଚଣା ଅଞ୍ଚଳରେ। ପଥରଗାଡ଼ିଆରେ ଥିବା ଏକ କାଫେ ସମ୍ମୁଖରେ ସେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ସମୟ ଧରି ଚିକିତ୍ସା ଚାଲିଥିଲେ ମଧ୍ୟ ଶେଷରେ ତାଙ୍କ ମୃତ୍ୟୁ ହୋଇଛି।

ପୋଲିସ ତଦନ୍ତ ଅନୁସାରେ, କଳ୍ପନା ପୂର୍ବରୁ ସୌମ୍ୟରଞ୍ଜନଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ। ପ୍ରାୟ ବର୍ଷେ ତଳେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗିଯାଇଥିଲା। ପରେ କଳ୍ପନା ସୌମ୍ୟରଞ୍ଜନଙ୍କ ସମ୍ପର୍କୀୟ ଭାଇ ଆଶୁତୋଷ ପ୍ରଧାନଙ୍କ ସହ ସମ୍ପର୍କ ଗଢ଼ିଥିଲେ। ସେ ଭୁବନେଶ୍ୱରର ସାଇ ପାରାଡାଇଜ୍ କଲୋନୀରେ ଥିବା ଆଶୁତୋଷଙ୍କ ଭଡ଼ା ଘରେ ରହୁଥିଲେ। ଏହାକୁ ନେଇ ସୌମ୍ୟରଞ୍ଜନ କଳ୍ପନାଙ୍କୁ ବାରମ୍ବାର ଫୋନ୍ କରି ଧମକ ଦେବା ସହ ଆଶୁତୋଷଙ୍କଠାରୁ ଦୂରେଇ ରହିବାକୁ କହୁଥିବା ଅଭିଯୋଗ ହୋଇଛି।

ଗତ ନଭେମ୍ବର ୧୬ରେ ଆଶୁତୋଷ ଦୁର୍ଘଟଣାରେ ଆହତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ନଭେମ୍ବର ୧୭ରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜାଣିବାକୁ କଳ୍ପନା ସୌମ୍ୟରଞ୍ଜନଙ୍କୁ ଫୋନ୍ କରିଥିଲେ। ଏହି ସମୟରେ ସେ ଗାଳିଗୁଲଜ କରିବା ସହ ଭଡ଼ା ଘର ଛାଡ଼ିବାକୁ ଏବଂ ଆଶୁତୋଷଙ୍କଠାରୁ ଦୂରେଇ ରହିବାକୁ ଧମକ ଦେଇଥିବା ପୋଲିସ କହିଛି।

ଏହାପରେ ମାନସିକ ଚାପରେ ଥିବା କଳ୍ପନା ମଙ୍ଗଳବାର ରାତି ପ୍ରାୟ ୯ଟା ୩୫ ମିନିଟ୍‌ରେ ନିଜ ସମ୍ପର୍କୀୟ ଭଉଣୀଙ୍କୁ ଫୋନ୍ କରି ଆତ୍ମାହୁତି ଦେବାକୁ ଯାଉଥିବା କହିଥିଲେ। ଏହାର ପ୍ରାୟ ୬ ମିନିଟ୍ ପରେ ସେ ନିଜ ଦେହରେ ନିଆଁ ଲଗାଇଥିବା ତଦନ୍ତରୁ ଜଣାପଡ଼ିଛି।

ମୃତ ଯୁବତୀଙ୍କ ବାପା ଅଜିତ ସାମଲଙ୍କ ଏତଲା ଆଧାରରେ ଇନ୍ଫୋସିଟି ଥାନା ପୋଲିସ ୧୦୯୦/୨୦୨୬ ନମ୍ବରରେ ମାମଲା ରୁଜୁ କରିଛି। CCTV ଫୁଟେଜ୍, ସାକ୍ଷୀଙ୍କ ବୟାନ, ମୃତ୍ୟୁକାଳୀନ ଜମାନବନ୍ଦୀ ଓ ବୈଷୟିକ ତଥ୍ୟକୁ ଆଧାର କରି ତଦନ୍ତ ଚାଲିଛି। ଘଟଣାରେ ଅଧିକ ତଥ୍ୟ ଯାଞ୍ଚ କରୁଛି ପୋଲିସ।