ନିୟମକୁ ଫୁ: ୱାର୍ଡ ସରକାରୀବାବୁଙ୍କ ଚାଲିଛି ମନମାନୀ

ଭୁବନେଶ୍ୱର/ରାଜେଶ ସାହୁ: ରାଜଧାନୀ ଭୁବନେଶ୍ୱରର ବିକାଶ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଧୀନରେ ରହିଛି ମୋଟ ୬୭ ୱାର୍ଡ ରହିଛି । ୱାର୍ଡର ଉନ୍ନତିକରଣ ଓ ୱାର୍ଡବାସୀଙ୍କ ଜୀବନଧାରଣ ମାନରେ ଉନ୍ନତି ହେଉଛି ମୁଖ୍ୟ ଲକ୍ଷ୍ୟ । ଏହି ଲକ୍ଷ୍ୟ ପୂରଣ ପାଇଁ ତଥା ସରକାରୀ ଯୋଜନାରେ ସ୍ୱଚ୍ଛତା ଆଣିବାକୁ ୱାର୍ଡରେ କାର୍ଯ୍ୟରତ ଜୁନିଅର ଇଞ୍ଜିନିୟର (ଜେଇ), କମୁନିଟି ଅଫିସର (ସିଓ), ୱାର୍ଡ ଅଫିସରଙ୍କୁ ଗୋଟିଏ ୱାର୍ଡରେ ୩ ବର୍ଷ ପର୍ଯ୍ୟନ୍ତ ଅବସ୍ଥାପିତ କରିବାର ନିୟମ ରହିଛି ।
କିନ୍ତୁ ରାଜଧାନୀର ନୟାପଲ୍ଲୀ ଅଞ୍ଚଳରେ ଥିବା ୩୭, ୩୮ଓ ୩୯ ୱାର୍ଡରେ ନିଯୁକ୍ତ କର୍ମଚାରୀମାନେ ୫ ବର୍ଷରୁ ଅଧିକ ସମୟ ଧରି ରହି ଆସିଲେଣି । ଦୀର୍ଘ କାଳ ଗୋଟିଏ ଜାଗାରେ ରହିବାରୁ ଜେଇ କାହ୍ନୁ ଦାସ, ସିଓ ନିବେଦିତା ଦାସ ଓ ୱାର୍ଡ ଅଫିସର ରବି ନାରାୟଣ ସାହୁ ଚଳାଇଛନ୍ତି ମନମାନୀ । ଆତ୍ମସ୍ୱାର୍ଥ ତଥା ପୂର୍ବତନ କର୍ପୋରେଟରଙ୍କ ହାତବାରସି ସାଜି ସରକାରୀ ଯୋଜନାକୁ କରୁଛନ୍ତି ବାଟମାରଣା ।

ଏହି ୩ ୱାର୍ଡର ବିକାଶ ପାଇଁ ଆସୁଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ଟେଣ୍ଡର ଏହି ତିନି ଅଧିକାରୀ କର୍ପୋରେଟରଙ୍କ ମୁତାବକ ସେମାନଙ୍କ ନିକଟ କଣ୍ଟ୍ରାକ୍ଟରଙ୍କୁ ଦେଇ ନିଜ ପକେଟ ଗରମ କରୁଛନ୍ତି । କାମ ହେଉ ବା ନ ହେଉ ସେଥିରେ ପରବାୟ ନାହିଁ । ଅନ୍ୟ ପଟେ ଏମାନଙ୍କ ଲାଭଖୋର ମନୋଭାବ ପାଇଁ ୱାର୍ଡବାସୀ ଯୋଜନାର ସୁଫଳ ନ ପାଇ ଅସନ୍ତୁଷ୍ଟ ।

ଅନ୍ୟପଟେ, ବିଏମସି ଅଧୀନରେ ରହୁଥିବା ମା\’ ମାନଙ୍କୁ ସ୍ୱାବଲମ୍ବୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱୟଂ ସାହାୟକ ଗୋଷ୍ଠୀଗୁଡିକୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି । ବିଭିନ୍ନ ସରକାରୀ ଯୋଜନାରେ ମହିଳାଙ୍କୁ ସମ୍ପୃକ୍ତ କରିବାକୁ କଡା ନିର୍ଦ୍ଦେଶ ରହିଛି । କିନ୍ତୁ ୱାର୍ଡ ନମ୍ବର ୩୭ ଓ ୩୮ରେ ରବି ନାରାୟଣ ସାହୁ ବହୁ ବର୍ଷରୁ ରହି ଏସଏଚଜି ମହିଳାଙ୍କୁ ଆଡ କରି ଚାଲିଛନ୍ତି । ଏସଏଚଜି ଗ୍ରୁପକୁ ବାଦ ଦେଇ ସିଧା ମହିଳା ମହାସଂଘକୁ କାର୍ଯ୍ୟାଦେଶ ଦେଉଛନ୍ତି । ଫଳରେ ଛୋଟ ଛୋଟ ଗ୍ରୁପଗୁଡିକ ସରକାରୀ ସୁବିଧା ସୁଯୋଗରୁ ବାଦ ପଡୁଛନ୍ତି ।

ୱାର୍ଡରେ କାର୍ଯ୍ୟରତ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଲାଣି । ଏମାନଙ୍କୁ ଅନ୍ୟତ୍ର କାହିଁ ବଦଳି କରାଯାଉନାହିଁ? କାହା ଛାତ୍ରଛାୟା ତଳେ ଏମାନେ ରହିଛନ୍ତି? ଏମିତି ନାନା ପ୍ରଶ୍ନ ୱାର୍ଡବାସୀଙ୍କ ମଧ୍ୟରେ । ତେବେ ଆଗକୁ ପୌର ନିର୍ବାଚନ । ଏସଏଚଜି ମହିଳା ତଥା ୱାର୍ଡ ବାସୀଙ୍କ ଅସନ୍ତୋଷ ଯେ ନିର୍ବାଚନରେ ପ୍ରତିଫଳିତ ନ ହେବ ତାହାକୁ ଏଡାଇ ଦିଆ ଯାଇ ନ ପାରେ । ତେଣୁ ସମୟ ଥାଇ ବିଏମସି ଏହାର ପ୍ରତିକାର ନ କଲେ ମତବାଦ ଶାସକ ଦଳ ବିରୋଧରେ ଯିବା ନିଶ୍ଚିତ ।