ଜମ୍ମୁର ବାରାମୁଲ୍ଲା ଜିଲ୍ଲା ସୋପୋର ଅଞ୍ଚଳରେ ବିସ୍ଫୋରଣ । ଏହି ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ନେଇ ସୂଚନା । ସୋପୋରର ସେର କଲୋନୀରେ ଏହି ଅଘଟଣ ଘଟିଛି । ଏକ ଟ୍ରକରୁ ସ୍କ୍ରାପ ଡିଲର ସାମଗ୍ରୀ ଅନଲୋଡ କରୁଥିବା ବେଳେ ବିସ୍ଫୋରଣ ଘଟିଛି । ଘଟଣା ପରେ ପୋଲିସ ତଦନ୍ତ କରୁଛି ।
ସୂଚନା ମୁତାବକ, ସୋପୋର ଟାଉନର ସେର କଲୋନୀରେ ଜଣେ ସ୍କ୍ରାପ ବିକ୍ରେତାଙ୍କ ଦୋକାନ ରହିଛି । ବିଭିନ୍ନ ସ୍ଥାନରୁ ସ୍କ୍ରାପ ସଂଗ୍ରହ କରି ବ୍ୟବସାୟୀ ଦୋକାନ ଷ୍ଟକ ରଖୁଥିଲେ । ଆଜି ଏକ ଟ୍ରକରେ ସ୍କ୍ରାପ ଆସିବା ପରେ ସେସବୁକୁ ଅନଲୋଡ କରାଯାଉଥିଲା । ଏହି ସମୟରେ ବିସ୍ଫୋରଣ ଘଟିଥିଲା । ଏଥିରେ ସେଠାରେ ଉପସ୍ଥିତ ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଛି । ଖବର ପାଇ ପୋଲିସ ଓ ଫୋରେନ୍ସିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବିସ୍ଫୋରକ ସାମଗ୍ରୀକୁ ଜାଣିଶୁଣି କେହି ଟ୍ରକରେ ରଖିଥିଲା କି କଣ ତା ଉପରେ ତଦନ୍ତରେ ଅଧିକ ଧ୍ୟାନ ଦିଆଯାଉଛି ।
ଏଠାରେ କହିରଖୁଛୁ କି, ଜମ୍ମୁରେ ଗତ କିଛି ଦିନ ହେବ ଆତଙ୍କବାଦୀ ଆକ୍ରମଣ ଓ ଗତିବିଧି ବୃଦ୍ଧି ପାଇବାରେ ଲାଗିଛି । ଏଥିରେ ବହୁ ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା ବେଳେ ସେନାର ୫ ସହିଦ ହୋଇଛନ୍ତି । ଅନ୍ୟପଟେ, ସ୍ୱାଧୀନତା ଦିବସ ଅବସରରେ ପାକିସ୍ତାନୀ ଆତଙ୍କବାଦୀ କୌଣସି ବଡ ଧରଣର ଘଟଣାକୁ ରୂପ ଦେବାକୁ ଷଡଯନ୍ତ୍ର କରୁଥିବା ଆଶଙ୍କାରେ ସେନା ଆଲର୍ଟରେ ରହିଛି ।