ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ନାମାଙ୍କନ ଭରିଲେ BJD ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ । ୧୮ରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଉଭୟ ବିଜେପି ଓ କଂଗ୍ରେସ । ବିଜେପିରୁ ନାମାଙ୍କନପତ୍ର ଦାଖଲ କରିଥିଲେ ଜୟ ଢୋଲକିଆ । ସେହିପରି କଂଗ୍ରେସରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଘାସିରାମ ମାଝୀ ।

ଆଜି ସକାଳୁ ପ୍ରଥମେ ନୂଆପଡା ସହରର ମନ୍ଦିରପଡା ସ୍ଥିତ ଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ବିରାଟ ଶୋଭାଯାତ୍ରାରେ ଆସି ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ । ନାମାଙ୍କନ ଦାଖଲ ବେଳେ ସ୍ନେହାଙ୍ଗିନୀଙ୍କ ସହ ବିଜେଡି ବରିଷ୍ଠ ନେତା ଦେବୀ ମିଶ୍ର, ଅତନୁ ସବ୍ୟସାଚୀ, ଟୁକୁନି ସାହୁ, ରିତା ସାହୁ, ସଞ୍ଜୟ ଦାଶବର୍ମା, ଲେଖାଶ୍ରୀ ସାମନ୍ତ ସିଂହାର, ଅରୁଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଉପନିର୍ବାଚନ ପାଇଁ ୨୦ ତାରିଖ ପର୍ଯ୍ୟନ୍ତ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ । ଏହାପରେ ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ । ଅକ୍ଟୋବର ୨୪ ପୂର୍ବରୁ ନାମାଙ୍କନ ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ନିର୍ବାଚନ କମିଶନଙ୍କ ଘୋଷଣା ମୁତାବକ ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ, ଏବଂ ୧୪ରେ ଭୋଟ ଗଣତି କରାଯାଇ, ଫଳାଫଳ ପ୍ରକାଶ ପାଇବ । ୧୬ତାରିଖ ସୁଦ୍ଧା ସମଗ୍ର ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ନୂଆପଡାରେ ୩୫୮ଟି ମତଦାନ କେନ୍ଦ୍ର ରହିଛି । ସବୁ ମତଦାନ କେନ୍ଦ୍ରରେ ୱେବ୍ କାଷ୍ଟିଂ ବ୍ୟବସ୍ଥା କରାଯିବ । ବୁଥ୍ ଭିତରକୁ ମତଦାତାମାନେ ନିଜର ମୋବାଇଲ୍ ଫୋନ୍ ନେଇପାରିବେ ନାହିଁ ।