ଏଟିଏମ ଲୁଟ ଉଦ୍ୟମ ବିଫଳ

ଅନୁଗୁଳ ସହର ଉପରେ ଥିବା ଦୁଇଟି ଏଟିଏମ ଭାଙ୍ଗି ଦୁର୍ବୃତ୍ତ ମାନେ ବୁଧବାର ବିଳମ୍ବିତ ରାତିରେ ଟଙ୍କା ଲୁଟ ଉଦ୍ୟମ କରିଥିବା ଜଣାପଡିଛି।

(ଜ୍ୟୋତିରଞ୍ଜନ ଧର /ଅନୁଗୁଳ) : ଅନୁଗୁଳ ସହର ଉପରେ ଥିବା ଦୁଇଟି ଏଟିଏମ ଭାଙ୍ଗି ଦୁର୍ବୃତ୍ତ ମାନେ ବୁଧବାର ବିଳମ୍ବିତ ରାତିରେ ଟଙ୍କା ଲୁଟ ଉଦ୍ୟମ କରିଥିବା ଜଣାପଡିଛି। କିନ୍ତୁ ଟଙ୍କା ଲୁଟରେ ବିଫଳ ହୋଇଛନ୍ତି ଦୁର୍ବୃତ ମାନେ । ଏହା ପୂର୍ବରୁ ଜିଲ୍ଲାର ସଦର ମହକୁମାର ଦୁଇଟି ବଡ ବଡ ବ୍ଯାଙ୍କ ଲୁଟ ଓ ଗତ ବର୍ଷ ଦୁଇଟି ଏଟିଏମ ଲୁଟ ହୋଇଥିବା ବେଳେ ଦୀର୍ଘଦିନ ବ୍ୟବଧାନରେ ପୁଣି ଏଟିଏମ ଲୁଟେରାଙ୍କ ଏଭଳି ଉଦ୍ୟମ କରି ପୁଲିସକୁ ଖୋଲା ଚ୍ୟାଲେଜ ଦେଇଛନ୍ତି।

ଏନେଇ ପୁଲିସ କାର୍ଯ୍ୟଦକ୍ଷତା ଉପରେ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଘଟଣାରୁ ପ୍ରକାଶ ଯେ, ଅନୁଗୁଳ ସହରର ଅମଲାପଡ଼ା ସ୍ଥିତ ଇଣ୍ଡିଆନ ଓଭରସିସ ବ୍ୟାଙ୍କ ଓ କାନାଡ଼ା ବ୍ୟାଙ୍କ୍ ର ଏଟିଏମ୍ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ତାଡି ଲୁଟ କରିବାକୁ ଉଦ୍ୟମ କରିଥିଲେ । ତେବେ କ୍ୟାସ୍ ଟ୍ରେ ନ କାଟି ପାରି ଟଙ୍କା ଲୁଟିବାରେ ବିଫଳ ହୋଇଥିଲେ । ବିଳମ୍ବିତ ରାତିରେ ଏହି ଲୁଟ ହୋଇଥିବା ଜଣା ପଡିଥିବା ବେଳେ ଏ ନେଇ ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି । ଉକ୍ତ ଲୁଟ ଘଟଣାର ସିସି ଫୁଟେଜ ଆଧାରରେ ପୁଲିସ ଅନୁସନ୍ଧାନ ଚଳାଇଛି ।