(ଶୁଭସ୍ମିତା ଦାଶ): ରକ୍ତ ହୀନତା ରୋଗିଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେବା ଉଦ୍ଦେଶ୍ୟରେ ଭୁବନେଶ୍ୱର ଏମସ୍ ପକ୍ଷରୁ ଆନିମିଆ ମୁକ୍ତ ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଆସନ୍ତା ମାସ ୯ ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ୩୦ ଦିନ ଧରି ଅନୁଷ୍ଠିତ ହେବାକୁ ଏହି ସଚେତନତା କାର୍ଯ୍ୟକ୍ରମ ରେ ସମସ୍ତ ବର୍ଗର ରକ୍ତହୀନତା ରୋଗିଙ୍କୁ ସାମିଲ କରାଯିବ । ଏନେଇ ଏମସ୍ ଭୁବନଶ୍ୱର କମ୍ୟୁନିଟି ଆଣ୍ଡ ଫ୍ୟାମିଲି ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି । ଏଥି ସହିତ ମେଣ୍ଡାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଖୋର୍ଦ୍ଧା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଭୁବନେଶ୍ୱର ଆଇଆରସି ଭିଲେଜ ସ୍ଥିତ ଅର୍ବାନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏମସ୍ ର ଡ଼ାକ୍ତରମାନେ ରହି ଏପରି ରୋଗିଙ୍କୁ ଚିକିତ୍ସା ଯୋଗାଇଦେବେ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ୟୁନିସେଫର ମିଳିତ ସହଯୋଗରେ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିର୍ଦେଶକ୍ରମେ ଏହି କାର୍ଯ୍ୟକ୍ରମର ଆଯୋଜନ କରାଯାଇଛି । ଦିନକୁ ଦିନ ରକ୍ତହୀନତା ରୋଗିଙ୍କର ସଂଖ୍ୟା ବଢୁଥିବାରେ ଲାଗିଛି । ମହିଳା ଓ ଶିଶୁଙ୍କ କ୍ଷେତ୍ରରେ ଏହିି ରୋଗ ଅଧିକ ମାତ୍ରାରେ ଦେଖାଯାଉଛି । କେବଳ ଅସଚେତନତା କାରଣରୁ ହେଉଛି ବୋଲି ଜଣାଯାଇଛି । ତେଣୁ କରି ଉପଯୁକ୍ତ ଚିକିତ୍ସା ଓ ସଚେତନତାର ଆବଶ୍ୟକତା ରହିଛି । ତେଣୁ କରି ନୀତି ଆୟୋଗ ସୁପାରିସ ଅନୁସାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ପଦକ୍ଷେପ ନେଇଛନ୍ତି । ନୂଆ ଦିଲ୍ଲୀ ଏମସ୍ର ପ୍ରତେକ୍ଷ ତତ୍ୱାବଧାନରେ ଭୁବନେଶ୍ୱର ଏମସ୍ ରେ ଏହି କାର୍ଯ୍ୟକ୍ରମ କରାଯିବ ।