(ବାଲେଶ୍ଵର) : ପରୀକ୍ଷଣ ହେଲା କ୍ଷେପଣାସ୍ତ୍ର ଅଗ୍ନି-୪ । ବାଲେଶ୍ୱର ଅବଦୁଲ କଲମା ଆଇଲାଣ୍ଡରୁ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି-୪ର ସଫଳ ରାତ୍ରୀକାଳୀନ ବ୍ୟବହାର ଉପଯୋଗୀ ପରୀକ୍ଷଣ ହୋଇଛି। ଗତକାଲି ସନ୍ଧ୍ୟା ୭ଟା ୪୫ ମିନିଟରେ ଚାନ୍ଦିପୁର ସମନ୍ୱିତ ପରୀକ୍ଷଣ କେନ୍ଦ୍ର ବା ଆଇଟିଆର ୪ ନମ୍ବର ଲଞ୍ଚ ପ୍ୟାଡରୁ ଏହି ପରୀକ୍ଷଣ କରାଯାଇଥିଲା ।

ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରରେ କଠିନ ଇନ୍ଧନ ବ୍ୟବହାର କରାଯାଇଛି। ଭୂ-ପୃଷ୍ଟରୁ ଭୂ-ପୃଷ୍ଟକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ରର ୩୫୦୦ରୁ ୪୦୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କ୍ଷମତା ରହିଛି। ଆଣବିକ ଅସ୍ତ୍ର ବହନ କ୍ଷମତା ସଂପନ୍ନ ଏହି ବାଲିଷ୍ଟିକ ମିଜାଇଲକୁ ଗୋଟିଏ ମୋବାଇଲ ଲଞ୍ଚରରୁ ପରୀକ୍ଷା କରାଯାଇଥିଲା। ସୈନ୍ୟ ବାହିନୀର ଷ୍ଟେଟେଜିକ୍ ଫୋର୍ସର କମାଣ୍ଡର ଜୱାନମାନେ ଏହି ପରୀକ୍ଷା କରିଥିଲେ ।
ସୂଚନାନୁଯାୟୀ , ଏହି ମିଜାଇଲରେ ଏକ ଟନ ଓଜନର ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ମଧ୍ୟ ରହିଛି। ଏହି କ୍ଷେପଣାସ୍ତ୍ରର ଲଞ୍ଚ ୱେଟ୍ ୬ଟନ୍ ଥିବାବେଳେ ଏହାର ଲମ୍ବ ୨୦ ମିଟର ଓ ଓସାର ୧.୦୧ମିଟର ରହିଛି। ଏହି କ୍ଷେପଣାସ୍ତ୍ର ଭାରତର ଶତ୍ରୁ ରାଷ୍ଟ୍ର ପାକିସ୍ତାନ ଓ ଚୀନକୁ ଟାର୍ଗେଟ କରିବାରେ ସକ୍ଷମ ହୋଇପାରିବ।