ଇଣ୍ଡିଗୋ ପରେ ଗୋଏୟାର କର୍ମଚାରୀ ନେଲେ ସାମୂହିକ ଛୁଟି

ଡିଜିସିଏ ପକ୍ଷରୁ ହସ୍ତକ୍ଷେପ

ନୂଆଦିଲ୍ଲୀ: ସଂପ୍ରତି ଭାରତୀୟ ବିମାନ ଶିଳ୍ପରେ ଅନେକ ଅଶାନ୍ତି ଦେଖା ଦେଇଛି। ଏୟାର ଇଣ୍ଡିଆ ଟାଟା ଗ୍ରୁପରେ ମିଶିବା ପରେ ଏହାର ସଂପ୍ରସାରଣ କାର୍ଯ୍ୟ ଚାଲୁଛି। ସେହିପରି ରାକେଶ ଝୁନଝୁନୱାଲାଙ୍କ ଆକାଶ କମ୍ପାନୀ ଉଡାଣ ଭରିବା ଲାଗି ପ୍ରସ୍ତୁତ ହେଉଛି। ଏଥିପାଇଁ ଭାରତୀୟ ବିମାନ ଶିଳ୍ପରେ ଅନେକ ଚାକିରିର ସୁଯୋଗ ସୃଷ୍ଟି ହୋଇଥିବା ଜଣାପଡିଛି। ଇଣ୍ଡିଗୋ ଓ ଗୋଫାଷ୍ଟ ଏୟାରଲାଇନର କର୍ମଚାରୀମାନେ ବେତନ ବୃଦ୍ଧି ପ୍ରତିବାଦରେ ସାମୂହିକ ଛୁଟିରେ ଯାଇଥିଲେ। ସମ୍ପୃକ୍ତ ଘଟଣାରେ ଡିଜିସିଏ ପକ୍ଷରୁ ନଜର ରଖାଯାଇଛି। ବିମାନ କର୍ମଚାରୀ ଓ କମ୍ପାନୀ ମଧ୍ୟରେ ଚାଲିଥିବା ବିବାଦର ଖୁବ ଶିଘ୍ର ସମାଧାନ ହେବ ବୋଲି ଡିଜିସିଏ ପକ୍ଷରୁ ଆଶା ପ୍ରକଟ କରାଯାଇଛି। ବିମାନ କମ୍ପାନୀର ବୈଷୟିକ କର୍ମଚାରୀ ସ୍ୱାସ୍ଥ୍ୟଗତ କରାଣ ଦର୍ଶାଇ ଛୁଟିରେ ରହିଛନ୍ତି। କିନ୍ତୁ ଏହା ସତ୍ତେ୍ୱ ଉଭୟ କମ୍ପାନୀର କାର୍ଯ୍ୟ ସ୍ୱାଭାବିକ ଥିବା ଡିଜିସିଏ ପକ୍ଷରୁ କୁହାଯାଇଛି। ସେପଟେ ଛୁଟିରେ ଯାଇଥିବା କର୍ମଚାରୀଙ୍କ ବିରୋଧରେ ଇଣ୍ଡିଗୋ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟିରେ ଯାଇଥିବା କର୍ମଚାରୀଙ୍କୁ ଆବଶ୍ୟକ ଚିକିତ୍ସା କାଗଜପତ୍ର ପ୍ରଦାନ ସହ ବିମାନର ଡାକ୍ତରଙ୍କୁ ଦେଖାଇବାକୁ କମ୍ପାନୀ ପକ୍ଷରୁ କୁହାଯାଇଛି। କର୍ମଚାରୀମାନେ ପ୍ରକୃତରେ ଅସୁସ୍ଥ ଥିଲେ ନା ଅନ୍ୟ କିଛି କାରଣ ରହିଥିଲା ତାହା ଅନୁସନ୍ଧାନ କରିବାକୁ ବିମାର ଡାକ୍ତରଙ୍କୁ କମ୍ପାନୀ ପକ୍ଷରୁ କୁହାଯାଇଛି। ତେବେ ଗତ ଜୁଲାଇ ୨ ତାରିଖରେ ଇଣ୍ଡିଗୋର ପ୍ରାୟ ୫୫ ପ୍ରତିଶତ କର୍ମଚାରୀ ଛୁଟିରେ ଯିବା ପରେ ବିମାନ ଉଡାଣରେ ବିଳମ୍ବ ହୋଇଥିଲା ଓ ଅନେକ ବିମାନକୁ ବାତିଲ କରିବାକୁ ପଡିଥିଲା ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।