ଦୀର୍ଘଦିନର ନିରବତା ପରେ ପୁଣି ପୁରୀରେ ସକ୍ରିୟ ଅପରାଧୀ

ପୁରୀ/ସଞ୍ଜୟ ମହାପାତ୍ର : ଦୀର୍ଘଦିନର ନିରବତା ପରେ ପୁଣି ପୁରୀରେ ସକ୍ରିୟ ଅପରାଧୀ । ଗତକାଲି ସନ୍ଧ୍ୟାବେଳେ ଘଟିଛି ଅଭାବନୀୟ ଘଟଣା। ପୁରୀ କୁମ୍ଭାରପଡା ଥାନା ରେଡକ୍ରସ ରୋଡ୍ ଇଲେକ୍ଟ୍ରି ଅଫିସ୍ ସାମ୍ନା ଏକ ଗୋଦାମରେ ପଶି ସୋମନାଥ ସାହୁ ଓରଫ କପସାହୁ ନାମକ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର ଅବସ୍ଥାରେ କପସାହୁଙ୍କୁ ପ୍ରଥମେ ପୁରୀ ସଦର ହସପିଟାଲ ଓ ପରେ କଟକ ଏସସିବି ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଚାରିଜଣ ଯୁବକ ଗୁଳିମାଡ କରିଥିବା ଅଭିଯୋଗ ହୋଇଛି।

ଗୁଳିମାଡ କରିଥିବା ଅପରାଧି ମାନେ ହେଉଛନ୍ତି ଫ୍ରେଣ୍ସ କ୍ଲବ ଗଳିର ବାବୁ ପ୍ରଧାନ ଓ ତାହାର ସହଯୋଗୀ ବୋଲି ଜଣାପଡିଛି। ଆକ୍ରମଣ କରିବା ପରେ ଅପରାଧିମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ ପୂର୍ବ ଶତୃତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ ହୋଇଛି। ଘଟଣା ସ୍ଥଳରୁ ଗୋଟିଏ 9mm ପିସ୍ତଲ ଓ ୪ରାଉଣ୍ଡ ଗୁଳି ଜବତ କରାଯାଇଛି। ଆଉ ଗୋଟିଏ ଗୁଳି ପିସ୍ତଲ ଭିତରେ ରହିଛି। ବୋଧହୁଏ ସେହି ସମୟରେ ବନ୍ଧୁକଟି ଅଚଳ ହୋଇଯାଇଥିଲା। ଫଳରେ ଅଳ୍ପକେ ରକ୍ଷା ପାଇଯାଇଥିଲା କପସାହୁ। ସେପଟେ ଘଟଣାର ଛାନବିନ ଆରମ୍ଭ କରିଛି ପୁରୀ କୁମ୍ଭାରପଡା ପୁଲିସ।

ଏସପି କନୱର ବିଶାଲ ସିଂଙ୍କ ନିର୍ଦ୍ଦେଶକ୍ରମେ ସିଟିଡିଏସପିଙ୍କ ନେତୃତ୍ୱରେ ସ୍ପେଶାଲ ସ୍କ୍ୱଡର ତିନୋଟି ଟିମ୍ ଗଠନ କରାଯାଇ ବିଭିନ୍ନ ଚଢାଉ ଜାରି ରହିଛି। ସେପଟେ ପୂର୍ବ ଶତ୍ରୁତାକୁ ନେଇ ଏଭଳି ଆକ୍ରମଣ ହୋଇଛି। ତେବେ କପ ସାହୁ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଦୁଇଜଣ ଯୁବକ ଗୁଳିମାଡ କରିଛନ୍ତି। ସେମାନଙ୍କ ନାମ ମଧ୍ୟ ସେ ପ୍ରକାଶ କରିଛନ୍ତି। ଗୋଦାମରେ ଥିବା ସିସିଟିଭି ଫୁଟେଜରେ ସବୁ ରହିଛି ବୋଲି କପ ଅଭିଯୋଗ କରିଛନ୍ତି। ସେପଟେ ସିସିଟିଭିରୁ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ତାର ଗୋଦାମ ଅଫିସରେ ଥିବା ବେଳେ ଦୁଇଜଣ ପିସ୍ତଲ ନେଇ ଆସିଥିଲେ। ମାତ୍ର ତାକୁ ଫାୟାରିଂ ହୋଇନାହିଁ। କୌଣସି ମାରଣାସ୍ତ୍ରରେ ଛେଚି ଦେଇଥିବା ଜଣାପଡୁଛି।

ଅପରାଧିଙ୍କୁ ଧରିବା ପାଇଁ ତିନୋଟି ଟିମ୍ ପୁରୀ ତଥା ପୁରୀ ବାହାରେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି। ସିସିଟିଭି ଯାଞ୍ଚ ବେଳେ ସମସ୍ତ ଅଭିଯୁକ୍ତମାନଙ୍କର ପରିଚୟ ଜଣାପଡିଛି। ତେବେ ତଦନ୍ତ ପରେ ଘଟଣାର ପ୍ରକୃତ ସତ୍ୟାସତ୍ୟ ଉନ୍ମୋଚନ ହୋଇପାରିବ ବୋଲି କହିଛନ୍ତି ଅତିରିକ୍ତ ଏସପି। ସେପଟେ ସୋମନାଥ ସାହୁ ଓରଫ କପସାହୁଙ୍କ ବିରୁଦ୍ଧରେ ପୂର୍ବରୁ ମଧ୍ୟ ଅନେକ ଅପରାଧୀକ ମାମଲା ବିଭିନ୍ନ ଥାନାରେ ରହିଥିଲା। ହେଲେ କିଛି ବର୍ଷ ହେବ ତାଙ୍କ ବିରୁଦ୍ଧରେ କୌଣସି ଅପରାଧୀକ ମାମଲା ଆସି ନାହିଁ।