ଭୁବନେଶ୍ୱର: ଆଧାର ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆସନ୍ତା ଫେବୃଆରୀ ୧୬ ତାରିଖରୁ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ଶୁଣାଣି ପ୍ରତି ସୋମବାର ଆୟୋଜିତ ହେବ ବୋଲି ସୂଚନା ମିଳିଛି। ରାଜ୍ୟର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ତରଫରୁ ଓକାକ ଟାୱାର, ପଠାଣି ସାମନ୍ତ ପ୍ଲାନେଟୋରିଅମ ପାର୍ଶ୍ୱ ଗେଟ୍ ନିକଟରେ ଏହି ଶୁଣାଣି କରାଯିବ। ଆଧାର ସମ୍ବନ୍ଧୀୟ ନାମ, ଠିକଣା, ଜନ୍ମତାରିଖ ସଂଶୋଧନ, ବାୟୋମେଟ୍ରିକ ଅଦ୍ୟତନ, ଲିଙ୍କ ସମସ୍ୟା ଓ ଅନ୍ୟାନ୍ୟ ଅଭିଯୋଗ ଏଠାରେ ଶୁଣାଯିବ।

ଏଥିପାଇଁ ପ୍ରଥମେ ଆଗ୍ରହୀ ବ୍ୟକ୍ତିମାନେ ଓକାକର ଅଧିକୃତ ପୋର୍ଟାଲ https://www.ocac.in ରେ ଦିଆଯାଇଥିବା ଲିଙ୍କ ମାଧ୍ୟମରେ ଅନଲାଇନ୍ ପଞ୍ଜିକରଣ କରିବାକୁ ପଡିବ। ପଞ୍ଜିକରଣ ପରେ ମିଳିଥିବା ପ୍ରାପ୍ତି ସ୍ୱୀକାରପତ୍ର ସହିତ ସମ୍ପୃକ୍ତ ବ୍ୟକ୍ତିମାନେ ସୋମବାର ସକାଳ ସାଢେ ୧୦ଟାରୁ ଅଭିଯୋଗ ପ୍ରକୋଷ୍ଠରେ ଉପସ୍ଥିତ ରହିବେ। ସେଠାରେ ଉପସ୍ଥିତ ଅଧିକାରୀମାନଙ୍କ ସମ୍ମୁଖରେ ସେମାନେ ନିଜର ଅଭିଯୋଗ ଉପସ୍ଥାପନ କରିପାରିବେ। ଏନେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।