ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ନିମନ୍ତ୍ରଣକୁ କେନ୍ଦ୍ରାପଡ଼ାରେ ଭବ୍ୟ ସ୍ୱାଗତ

କେନ୍ଦ୍ରାପଡ଼ା/ମହେଶ ପାଢ଼ୀ : ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି । ୨୦୨୪ ମସିହା ଜାନୁଆରୀ ମାସ ୧୭ ତାରିଖରେ ଏହାର ଲୋକାର୍ପଣ ଉତ୍ସବ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଅନୁଷ୍ଠିତ ହେବ । ଏହି ଉତ୍ସବକୁ ଭବ୍ୟ ଓ ଦିବ୍ୟ କରିବା ନିମନ୍ତେ ଦେଶ ବାହାର, ଦେଶ ଭିତର ଓ ରାଜ୍ୟର ସମସ୍ତ ଜିଲ୍ଲାର ବିଭିନ୍ନ ମନ୍ଦିରକୁ ନିମନ୍ତ୍ରଣ କରାଯାଉଛି । ଏହି କ୍ରମରେ ଆଜି ଶ୍ରୀକ୍ଷେତ୍ର ପୁରୀରୁ ସେବାୟତ ଓ ସୁଆରଙ୍କ ଏକ ପ୍ରତିନିଧିମଣ୍ଡଳୀ କେନ୍ଦ୍ରାପଡ଼ା ଜିଲ୍ଲାର ପରମ ଆରାଧ୍ୟ ଶ୍ରୀ ଶ୍ରୀ ବଳଦେବ ଜୀଉ ଏବଂ ଡେରାବିଶର ଆରାଧ୍ୟ ଶ୍ରୀ ଶ୍ରୀ ଦଧିବାମନଜୀଉଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି । ପୁରୀରୁ ଆସିଥିବା ଏହି ପ୍ରତିନିଧି ଦଳରେ ଅଛନ୍ତି ରବି ନାରାୟଣ ଖୁଂଟିଆ, ଉଦୟନାଥ ମହାସୁଆର, ରାଧାଗୋବିନ୍ଦ ଖୁଂଟିଆ ଏବଂ ନୋଡାଲ ଅଫିସରଭାବେ ସୁଶାନ୍ତ ଦାସ ।

ପୁରୀରୁ ଆସିଥିବା ଏହି ପ୍ରତିନିଧିମଣ୍ଡଳୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଉପଜିଲ୍ଲାପାଳ ଶ୍ରୀ ରବିନ୍ଦ୍ର କୁମାର ପ୍ରଧାନ, ଡେପୁଟି କଲେକ୍ଟର୍ ଶିବାଶିଷ ପରିଡ଼ା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା ସଂସ୍କୃତି ଅଧିକାରୀ ଆଲୋକ କୁମାର ମହାନ୍ତି ତାଙ୍କୁ ପୁଷ୍ପଗୁଚ୍ଛ, ଉତରୀୟ, ଫୁଲହାର ପ୍ରଦାନ କରିଥିବା ବେଳେ ଶୁଭକଳସ ବସାଇ ବନ୍ଦାପନା କରି ଡିଷ୍ଟ୍ରିକ୍ଟ କୋର୍ଟ ନିକଟରୁ ଏକ ଶୋଭାଯାତ୍ରାରେ ସଦ୍‌ଭାବନା ସଭାଗୃହ ପର୍ଯ୍ୟନ୍ତ ତାଙ୍କୁ ପାଛୋଟି ଅଣାଯାଇଥିଲା । ସଂକୀର୍ତନ, ଶଂଖ ଧ୍ୱନି, ହରିବୋଲ, ହୁଳହୁଳି, ଘଂଟଘଂଟା ଓ ଜୟ ଜଗନ୍ନାଥ ଧ୍ୱନିରେ ସାରା ପରିବେଶ ଭାବମୟ ହୋଇଉଠିଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ସଦ୍‌ଭାବନା ସଭାଗୃହ ନିକଟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ନିଲୁ ମହାପାତ୍ର ଏବଂ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ପୀତାମ୍ବର ସାମଲ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ ।

ସ୍ୱୟଂ ସହାୟକ ଗୋଷ୍ଠୀ ଓ ମିଶନ ଶକ୍ତିର ମା’ ଭଉଣୀମାନେ ରଙ୍ଗୋଲିରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜଣାଇଥିଲେ ଏହି ପ୍ରତିନିଧି ମଣ୍ଡଳୀଙ୍କୁ । ସଦ୍‌ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସେଠାରେ ଶ୍ରୀ ଶ୍ରୀ ଦଧିବାମନଜୀଉଙ୍କୁ ନିମନ୍ତ୍ରଣ କରିଥିଲେ ପ୍ରତିନିଧିମଣ୍ଡଳୀ । ପରେପରେ ଶ୍ରୀଶ୍ରୀ ବଳଦେବଜୀଉଙ୍କୁ ନିମନ୍ତ୍ରଣ କରିବା ପାଇଁ ଶ୍ରୀକ୍ଷେତ୍ରରୁ ଆସିଥିବା ପ୍ରତିନିଧିମଣ୍ଡଳୀ ମନ୍ଦିରକୁ ଯାତ୍ରା କରିଥିଲେ । ସିଦ୍ଧବଳଦେବଜୀଉ ଦେବୋତର ବିଭାଗ ଓ ସେବାୟତଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସୂଚନାଯୋଗ୍ୟ, ଭିଡ଼କୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଜିଲ୍ଲାର ଦୁଇଟି ପ୍ରମୂଖ ମନ୍ଦିରର ଦୁଇ ଜଣ ଲେଖାଏଁ ସେବାୟତଙ୍କୁ ୨୦୨୪ ଜାନୁଆରୀ ୧୭ରେ ଲୋକାର୍ପଣ ଉତ୍ସବ ପାଇଁ ନିମନ୍ତ୍ରଣ କରାଯାଉଛି । ମାତ୍ର ପରିବର୍ତି ଦିନମାନଙ୍କରେ ସମସ୍ତ ମନ୍ଦିରର ସେବାୟତ ପୁରୀକୁ ଯାତ୍ରା କରିପାରିବେ ବୋଲି ପ୍ରତିନିଧି ମଣ୍ଡଳୀ ଜଣାଇଛନ୍ତି ।