(ରିପୋଟର୍ସ ଟୁୁଡେ, ସମ୍ବଲପୁର): ସମ୍ବଲପୁରରେ ପୁଣି ଗୋଟେ ଏନକାଉଣ୍ଟର । ଜିଲ୍ଲାର କୁଲୁଥକାନୀ-ଧନକଉଡି ରାସ୍ତାରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ତ୍ରିଦେବ ବାଗ୍ ଆହତ ହୋଇଛି । ତାକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତ୍ରିଦେବର ଜଣେ ସହେଯାଗୀକୁ ପୋଲିସ ଗିରଫ କରିଛି । ଅନ୍ୟ ଏକ ସହେଯାଗୀ ନାବାଳକ ଥିବାରୁ ତାକୁ ଅଟକ ରଖାଯାଇଛି ।
ମିଳିଥିବା ସୁଚନାନୁଯାୟୀ, ଗତକାଲି ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ତ୍ରିଦେବ ଓ ତାର ସହେଯାଗୀମାନେ କୁଲୁଥକାନି-ଧନକଉଡା ରାସ୍ତାରେ ଡକାୟତି କରିବାକୁ ଏକାଠି ହୋଇଥିଲେ । ଖବର ପାଇ ଆଜି ଭୋର ୫ଟା ବେଳେ ଧନୁପାଲ୍ଲୀ ପୋଲିସ ଓ ସ୍ପେଶାଲ ସ୍କ୍ୱାଡ ସେଠାରେ ଚଢାଉ କରିଥିଲା । ଏହି ସମୟରେ ଅପରାଧୀମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲେ । ଏହାପରେ ପୋଲିସ ପାଲଟା ଜବାବରେ ଏକ ରାଉଣ୍ଡ ଗୁଳି ଚଳାଇଥିଲା । ଏଥିରେ ତ୍ରିଦେବର ବାମ ଗୋଡର ଆଣ୍ଠୁରେ ଗୁଳି ବାଜିଥିଲା । ଧରାପଡିବା ପରେ ତା ନିକଟରୁ ଗୋଟିଏ ପିସ୍ତଲ, ୨ ରାଉଣ୍ଡ ଗୁଳି, କିଛି ଟଙ୍କା ଓ ୩ଟି ସୁନା ଚେନ ଜବତ କରାଯାଇଛି ।
ସୁଚନାଯୋଗ୍ୟ, ଚଳିତ ମାସ ୨ ତାରିଖରେ ସମ୍ବଲପୁର ସହର ସିଟି ଷ୍ଟେସନ ନିକଟରେ ହୋଇଥିବା ଏକ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ମୁସିମ୍ ଅଖତାର ଆହତ ହୋଇଥିଲା ।