ଫନିର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ଭୟଙ୍କର ରୂପନେଇ ଓଡ଼ିଶାର ନିକଟତର ହେଉଛି ସାମୁଦ୍ରିକ ଝଡ଼ ‘ଫନି’। ଏହା ପ୍ରଭାବରେ ପୁରୀ ସମେତ କିଛି ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଗଲାଣି। ଗଜପତି, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ବର୍ଷା ହେଉଥିବା ଜଣାପଡ଼ିଛି। ସେହିପରି ଭୁବନେଶ୍ୱରରେ ମଧ୍ୟ ବର୍ଷା ହୋଇଥିବା ଜଣାପଡ଼ିଛି।
‘ଫନି’ ପ୍ରଭାବରେ ଆଜି ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କନ୍ଧମାଳରେ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ରାୟଗଡ଼ା, ଗଜପତି, କନ୍ଧମାଳ, ନୟାଗଡ଼, ବୌଦ୍ଧ, ଅନୁଗୋଳ, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼ ଓ କେନ୍ଦୁଝର ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ବର୍ତ୍ତମାନ ସୁଦ୍ଧା ଫନି ପୁରୀଠାରୁ ୩୬୦ କି.ମି ଦୂରରେ ରହିଛି। ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଏହା ଓଡ଼ିଶା ଆଡ଼କୁ ଗତି କରୁଛି। ଆସନ୍ତାକାଲି ଅପରାହ୍ଣ ୧୨ଟା ପରେ ଏହା ପୁରୀ ପାଖାପାଖି କୌଣସି ଏକ ସ୍ଥାନରେ ଲ୍ୟାଣ୍ଡଫଲ୍ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୭୦ ରୁ ୧୮୦ କିଲୋମିଟର ରହିପାରେ। କେତେକ ସ୍ଥାନରେ ଘଣ୍ଟାପ୍ରତି ୨୦୦ କିମି ବେଗରେ ମଧ୍ୟ ପବନ ବହିପାରେ।