(ରିପୋଟର୍ସ ଟୁଡ଼େ / ଭୁବନେଶ୍ୱର) : ବଡୋଦରାଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍ର ସୁଟିଂ ହୋଇଯାଇଛି । ରବିବାର ଦିନ ଦୁଇଟି ଷ୍ଟେସନ ମଧ୍ୟରେ ଏକ ଜଳନ୍ତା ଟ୍ରେନ୍ ଦେଖିବାକୁ ମିଳିଥିଲା। ଯାହା ଦେଖି ଲୋକେ ସେଠାରେ ଗୁଣ୍ଡ ହୋଇଥିଲେ। ସମସ୍ତେ ଭାବିଲେ କି ବୋଧହୁଏ ଟ୍ରେନର ବଗିରେ ନିଆଁ ଲାଗିଯାଇଛି। କିନ୍ତୁ ପ୍ରକୃତରେ କଥାଟା ଥିଲା ଭିନ୍ନ। ସେଠାରେ ‘ପିଏମ୍ ନରେନ୍ଦ୍ର ମୋଦୀ’ ସିନେମାରେ ଥିବା ଗୋଧ୍ରା କାଣ୍ଡ ସିନ୍ର ପିକଚରାଇଜେସନ୍ କରାଯାଉଥିଲା ।
ଏଠାରେ ସ୍ମରଣଯୋଗ୍ୟ ଯେ ୨୦୦୨ ଫେବୃଆରି ୨୭ ତାରିଖରେ ସାବରମତୀ ଏକ୍ସପ୍ରେସର ଏସ୍-୬ କୋଚ୍ରେ ନିଆଁ ଲାଗିଯାଇଥିଲା।ଏଥିରେ ୫୯ ଜଣଙ୍କର ପ୍ରାଣହାନି ଘଟିଥିଲା। ଏଥିରେ ଅଯୋଧ୍ୟାରୁ ଫେରୁଥିବା କର ସେବକମାନେ ମଧ୍ୟ ଥିଲେ। ଏହି ଅଗ୍ନିକାଣ୍ଡ ପରେ ଗୁଜରାଟରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା। ପଶ୍ଚିମ ରେଳବାଇର ଲୋକ ସଂପର୍କ ଅଧିକାରୀ ଖେମରାଜ ମୀଣା କହିଛନ୍ତି ଯେ ଛୋଟ ଲାଇନ୍ ଉପରେ ବିଶ୍ୱାମିତ୍ର ରେଳ ଷ୍ଟେସନ୍ରେ ଏହାର ସୁଟିଂ ସୁରୁଖୁରୁରେ ସଂପନ୍ନ ହୋଇଛି।
ଏହି ଫିଲ୍ମରେ ପିଏମ୍ ନରେନ୍ଦ୍ର ମୋଦୀଙ୍କ ଭୂମିକା ନିଭାଉଛନ୍ତି ବିବେକ ଓବେରଏ । ଏଥିରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ବର୍ଖା ବିଷ୍ଟ୍, ଜରିନା ଓ୍ଵାହାବ,ବୋମନ୍ ଇରାନୀ ଏବଂ ମନୋଜ ଯୋଶୀ ପ୍ରମୁଖ କଳାକାର ଅଭିନୟ କରୁଥିବା ଦେଖିବାକୁ ମିଳୁଛି ।