କର୍ମଚାରୀଙ୍କୁ ସୁନା ମୁଦି ଦେଲେ କାଭ୍ୟା ମାରାନ୍ ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ବିବାହ ପରେ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ଆଇପିଏଲ୍ ଟିମ୍ ସନରାଇଜର୍ସ ହାଇଦ୍ରାବାଦର ସହ-ମାଲିକାଣୀ କାଭ୍ୟା ମାରାନ୍। ନିଜ ବିବାହ ଖୁସିରେ ସନ୍ ଗ୍ରୁପ୍‌ର କର୍ମଚାରୀଙ୍କୁ ସୁନା ମୁଦି ଉପହାର ଦେଇଥିବା ନେଇ ଏକ ଭିଡିଓ ଭାଇରାଲ୍ ହେଉଛି। ତେବେ ଏହି ଦାବିର ସତ୍ୟତା ଏଯାଏଁ ସ୍ପଷ୍ଟ ହୋଇନାହିଁ।

ଭାଇରାଲ୍ ଭିଡିଓରେ କିଛି ବ୍ୟକ୍ତି ସୁନା ମୁଦି ଗ୍ରହଣ କରୁଥିବା ଦୃଶ୍ୟ ରହିଛି। ଏହାକୁ ଆଧାର କରି କାଭ୍ୟା ନିଜ କମ୍ପାନୀର କର୍ମଚାରୀଙ୍କୁ ବିବାହ ଉପହାର ଭାବେ ସୁନା ମୁଦି ପ୍ରଦାନ କରିଥିବା ଦାବି ହେଉଛି। ଏହି ଖବର ପ୍ରଚାର ହେବା ପରେ କର୍ମଚାରୀଙ୍କ ଭାଗ୍ୟ ଖୋଲିଗଲା ବୋଲି ସୋସିଆଲ୍ ମିଡିଆରେ ଚର୍ଚ୍ଚା ଚାଲିଛି। ତେବେ ଏନେଇ ସନ୍ ଗ୍ରୁପ୍ ପକ୍ଷରୁ କୌଣସି ଅଧିକାରିକ ସ୍ପଷ୍ଟୀକରଣ ଆସିନଥିବାରୁ ଏହି ଖବରକୁ ଏବେ ଭାଇରାଲ୍ ଦାବି ଭାବେ ଦେଖାଯାଉଛି।

କାଭ୍ୟା ମାରାନ୍ ହେଉଛନ୍ତି ସନ୍ ଗ୍ରୁପ୍‌ର ମୁଖ୍ୟ କଲାନିଧି ମାରାନଙ୍କ ଝିଅ। ସେ ସନରାଇଜର୍ସ ହାଇଦ୍ରାବାଦର ସିଇଓ ତଥା ସହ-ମାଲିକାଣୀ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଆଇପିଏଲ୍ ମ୍ୟାଚ୍ ସମୟରେ ଷ୍ଟାଡିୟମରେ ତାଙ୍କ ଉପସ୍ଥିତି ମଧ୍ୟ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ।

ସୂଚନା ଅନୁସାରେ, ନଭେମ୍ବର ୧୧ରେ ଗ୍ରୀସ୍‌ରେ ଏକ ଘରୋଇ ସମାରୋହରେ ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦରଙ୍କୁ ବିବାହ କରିଥିଲେ କାଭ୍ୟା। ଏହି ଉତ୍ସବରେ କେବଳ ପରିବାର ସଦସ୍ୟ ଓ ଘନିଷ୍ଠ ବନ୍ଧୁମାନେ ଯୋଗ ଦେଇଥିଲେ। ବିବାହ ପରେ ଉଭୟ ସୋସିଆଲ୍ ମିଡିଆରେ ନିଜ ଖୁସି ବାଣ୍ଟିବା ସହ ପ୍ରଶଂସକଙ୍କ ଭଲପାଇବା ଓ ଆଶୀର୍ବାଦ ପାଇଁ କୃତଜ୍ଞତା ଜଣାଇଥିଲେ।

ଗ୍ରୀସ୍‌ରେ ବିବାହ ପରେ ନବଦମ୍ପତି ଭାରତ ଫେରିଥିବା ବେଳେ ନଭେମ୍ବର ୨୧ରେ ଚେନ୍ନାଇରେ ଏକ ଭବ୍ୟ ରିସେପ୍ସନ୍ ଆୟୋଜନ ହେବା ନେଇ ଖବର ପ୍ରକାଶ ପାଇଛି। ଏବେ କର୍ମଚାରୀଙ୍କୁ ସୁନା ମୁଦି ଉପହାର ଦେବା ଖବରକୁ ନେଇ ଚର୍ଚ୍ଚା ବଢ଼ିଥିବା ବେଳେ, ଏହା ଉପରେ ସନ୍ ଗ୍ରୁପ୍‌ର ଅଧିକାରିକ ବୟାନକୁ ଅପେକ୍ଷା କରାଯାଇଛି।