ଗିଡ଼ିପାବାଲି ଦୁର୍ଘଟଣା ପରେ, ଭୂସ୍ଖଳନ ପ୍ରବଣ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଯୋଜନା

ଭୁବନେଶ୍ୱର: ଗିଡିପାବାଲି ଗ୍ରାମରେ ଘଟିଥିବା ଭୟଙ୍କର ଭୂସ୍ଖଳନ ଘଟଣାରେ ଅନ୍ତତଃ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ନିଖୋଜ ହୋଇଯାଇଛନ୍ତି। ଏହି ପରିପ୍ରେକ୍ଷୀରେ, ରାଜ୍ୟରେ ବିପଦପୂର୍ଣ୍ଣ ପାହାଡ଼ ଉପରେ କିମ୍ବା ପାହାଡ଼ ତଳେ ବାସ କରୁଥିବା ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରି ଭୂସ୍ଖଳନ ଜନିତ ମୃତ୍ୟୁକୁ ରୋକିବା ପାଇଁ ଓଡ଼ିଶା ସରକାର ଏକ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।

କନ୍ଧମାଳ ଓ ଗଜପତି ଜିଲ୍ଲାରେ ସରକାର ଶହ ଶହ ଭୂସ୍ଖଳନ ପ୍ରବଣ ସ୍ଥାନ ଚିହ୍ନଟ କରିଛନ୍ତି। ପ୍ରସ୍ତାବିତ ଥଇଥାନ ଯୋଜନା ଅଧୀନରେ, ଏହି ଅତ୍ୟଧିକ ବିପଦପୂର୍ଣ୍ଣ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି।ମନ୍ତ୍ରୀ କହିଛନ୍ତି ଯେ, ଏହି ପରିବାରଗୁଡ଼ିକୁ ରହିବା ପାଇଁ ସରକାର ସୁରକ୍ଷିତ ସ୍ଥାନରେ ନୂତନ ବସତି ବିକାଶ କରିବେ ଏବଂ ଘର ନିର୍ମାଣ କରିଦେବେ।

ପାହାଡ଼ ଉପରେ ଏବଂ ପାହାଡ଼ ତଳେ ଥିବା ଭୂସ୍ଖଳନ ପ୍ରବଣ ଅଞ୍ଚଳରେ କେତେ ଲୋକ ବାସ କରୁଛନ୍ତି, ତାହା ଜାଣିବା ପାଇଁ ଏକ ସର୍ବେକ୍ଷଣ ଆରମ୍ଭ ହୋଇସାରିଛି। ଏହି ପ୍ରକ୍ରିୟା ମାଧ୍ୟମରେ ସରକାର କେତେ ବ୍ୟାପକ ସ୍ତରରେ ଲୋକଙ୍କୁ ସ୍ଥାନାନ୍ତର ଓ ଥଇଥାନ କରିବାକୁ ପଡ଼ିବ, ତାହାର ଆକଳନ କରିପାରିବେ।

ଶ୍ରୀ ପୂଜାରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ସମସ୍ୟାର ସମ୍ଭାବ୍ୟ ସମାଧାନ ଖୋଜିବା ଏବଂ ଭୂସ୍ଖଳନ ବିପଦର ମୁକାବିଲା ପାଇଁ ସେଠାରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ଜାଣିବା ପାଇଁ ଅଧିକାରୀଙ୍କ ଏକ ଦଳ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ଗସ୍ତ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଏହି ଭୂସ୍ଖଳନ ଫଳରେ ଗିଡିପାବାଲି ଗ୍ରାମ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ନିଖୋଜ ଅଛନ୍ତି। ନିଖୋଜ ଥିବା ବ୍ୟକ୍ତିଙ୍କ ପରିବାରବର୍ଗ ସେମାନଙ୍କର ପ୍ରତୀକାତ୍ମକ ଅନ୍ତିମ ସଂସ୍କାର କାର୍ଯ୍ୟ ସମ୍ପନ୍ନ କରିଛନ୍ତି।