ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଓଡ଼ିଶା ଭିଜିଲାନ୍ସ ଶନିବାର ଦିନ ସୁନ୍ଦରଗଡ଼ର ମୃତ୍ତିକା ସଂରକ୍ଷଣ ଉପ-ନିର୍ଦ୍ଦେଶକ ତଥା ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ରଙ୍କୁ ଗିରଫ କରିଛି। ତାଙ୍କୁ ଆଜି ସୁନ୍ଦରଗଡ଼ ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ କୋର୍ଟରେ ହାଜର କରାଯିବ।
ଭିଜିଲାନ୍ସ ସୂଚନା ଅନୁଯାୟୀ, ପାତ୍ରଙ୍କ ସମ୍ପତ୍ତି ଉପରେ ଚଢ଼ଉ ବେଳେ ବହୁ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଛି। ଏଥିମଧ୍ୟରେ ଭୁବନେଶ୍ୱରରେ ୪ଟି ବହୁତଳ ବିଶିଷ୍ଟ କୋଠା ଓ ଗୋଟିଏ ଫ୍ଲାଟ୍, ୭ଟି ମୂଲ୍ୟବାନ ପ୍ଲଟ୍, ୨୧୨ ଗ୍ରାମ ସୁନା, ୧.୪୬ କୋଟି ଟଙ୍କାର ଜମା ରାଶି ଏବଂ ୧.୨୯ ଲକ୍ଷ ଟଙ୍କା ନଗଦ ଅର୍ଥ ରହିଛି, ଯାହା ସମ୍ପର୍କରେ ସେ ସନ୍ତୋଷଜନକ ହିସାବ ଦେଇପାରି ନାହାନ୍ତି।
ଏହି ଘଟଣାରେ ପାତ୍ରଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ୍ (Prevention of Corruption Act) ଅଧୀନରେ ରାଉରକେଲା ଭିଜିଲାନ୍ସ ଥାନାରେ ମାମଲା ନଂ ୧୩/୨୦୨୬ ରୁଜୁ କରାଯାଇଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି।