୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ

ସ୍ଥଗିତ  ହେଲା ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ । ଆଜିଠୁ ହେବାକୁ ଥିବା ଧର୍ମଘଟ ସ୍ଥଗିତ ରଖିଲା  ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ । ଗତକାଲି ଭାରତୀୟ ବ୍ୟାଙ୍କ ସଂଘ ସହ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି ।ଦାବିଗୁଡ଼ିକ ବାବଦରେ ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ବ୍ୟାଙ୍କ ସଂଘ ।

 

ବିଭିନ୍ନ ଦାବି ନେଇ ୩ ଦିନିଆ ବ୍ୟାଙ୍କ ଡ଼ାକରା ଦେଇଥିଲା ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ । ଏହା ପରେ ସାଧାରଣ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଥିଲା । ଏଥିସହ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି ସାଧାରଣ ଲୋକେ । ଆଉ ତିନି ଦିନିଆ ବ୍ୟାଙ୍କ ସେବା ବ୍ୟାହତ ହେବା ନେଇ ସେମାନେ ପ୍ରସ୍ତୁତ ହେଉଥିଲେ । ଠିକ ସେତିକି ବେଳେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ  ଭାରତୀୟ ବ୍ୟାଙ୍କ ସଂଘ ସହ ବୈଠକ ପରେ ନିଜର ତିନି ଦିନିଆ ଦେଶବ୍ୟାପୀ ଧର୍ମଘଟକୁ ସ୍ଥଗିତ ରଖିଛି।

 

ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ  ଏକ ବିବୃତ୍ତି ଜାରି କରି କହିଛି ଯେ, ବ୍ୟାଙ୍କ ୟୁନିଅନ୍ ରବିବାର ରାତି ୯.୩୦ ସମୟରେ ଇଣ୍ଡିଆନ୍ ବ୍ୟାଙ୍କ୍ସ ଆସୋସିଏସନ୍ ସହ ଆଲୋଚନା କରିଥିଲା। ସମସ୍ତ ଶନିବାର ଛୁଟି କରିବା ପ୍ରସଙ୍ଗ ଉପରେ ବିଚାର କରିବା ପାଇଁ ଇଣ୍ଡିଆନ୍ ବ୍ୟାଙ୍କ୍ସ ଆସୋସିଏସନ୍ ଏବଂ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ର ଏକ ମିଳିତ କମିଟି ତୁରନ୍ତ ଗଠନ କରାଯିବ। ଏହି କମିଟି ସମସ୍ତ ବିକଳ୍ପର ଅନୁଧ୍ୟାନ କରିବ, ପ୍ରଭାବିତ ହେଉଥିବା ସମସ୍ତ ପକ୍ଷଙ୍କ ସହ କଥାବାର୍ତ୍ତା କରିବ । ଏପରି ଏକ ସମାଧାନ ଖୋଜିବାକୁ ଚେଷ୍ଟା କରିବ ଯାହା ସମସ୍ତଙ୍କ ପାଇଁ, ବିଶେଷକରି ଗ୍ରାହକଙ୍କ ପାଇଁ ଉପଯୁକ୍ତ ହେବ।