କମ ନିଦ୍ରା ଆଣିବ ସ୍ୱାସ୍ଥ୍ୟ ସମସ୍ୟା

ଅଧିକ ରାତି ପର୍ଯ୍ୟନ୍ତ ଅନିଦ୍ରା ରହୁଛନ୍ତି କି ?

କଲବଲ କରିବ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା

ଶରୀର ପାଇଁ ବିପଦ ସାଜିବ କମ୍ ନିଦ୍ରା

ଆମ ଶରୀର ପାଇଁ ଖାଦ୍ୟ ପାନୀୟର ଯେତିକି ଜରୁରୀ ଅଟେ ଶୋଇବା ମଧ୍ୟ ସେତିକି ଜରୁରୀ । ଉଚିତ୍ ନିଦ ଶରୀରକୁ ସୁସ୍ଥ ରଖିବାର ଏକ ମାଧ୍ୟମ ଅଟେ । ଭଲ ନିଦ୍ରା ମସ୍ତିଷ୍କ, ହୃଦୟ, ମେଟାବୋଲିଜମ୍‌ ଓ ପ୍ରତିରୋଧକ କ୍ଷମତା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଆଜିକାଲିର ବ୍ୟସ୍ତ ଜୀବନଶୈଳୀ ଅନେକ ଲୋକଙ୍କ ନିଦ ଉପରେ ବ୍ୟାପକ ପ୍ରଭାବ ପକାଇଥାଏ । ଏପରିକି ଅନେକ ଲୋକଙ୍କ କ୍ଷେତ୍ରରେ ଶୋଇବା ପୂର୍ବରୁ ଅତ୍ୟଧିକ ମୋବାଇଲ ଦେଖିବା, ଦୀର୍ଘ ସମୟ ପର୍ଯ୍ୟନ୍ତ ନିଦ ନ ଆସିବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ସମସ୍ତଙ୍କ ପାଇଁ ସାଧାରଣତଃ ପ୍ରତିଦିନ ୭ ଘଣ୍ଟା ନିଦ୍ରା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି । ତେବେ କମ୍ ଶୋଇବା ମଧ୍ୟ ଶରୀର ପାଇଁ ବଡ ଧରଣର ସମସ୍ୟା ସୃଷ୍ଟି କରିପାରେ । ତେବେ ଆସନ୍ତୁ ଜାଣିବା କମ୍ ନିଦ୍ରା ଆମ ଶରୀରକୁ କେଉଁ ପ୍ରକାର କ୍ଷତି ପହଞ୍ଚାଇପାରେ ଏବଂ ଆମ ଜୀବନ ଶୈଳୀ ଉପରେ କେଉଁ ପ୍ରଭାବ ପକାଇଥାଏ

ଦୀର୍ଘ ସମୟ ଧରି ପର୍ଯ୍ୟାପ୍ତ ନିଦ୍ରା ନହେଲେ ଉଚ୍ଚ ରକ୍ତଚାପ, ହୃଦରୋଗ ଓ ଷ୍ଟ୍ରୋକ୍‌ ଭଳି ସମସ୍ୟା ବଢ଼ିପାରେ । ନିଦ୍ରା ଅଭାବ ଭୋକ ଓ ପେଟ ଭରିବାର ଅନୁଭୂତି ସହ ଜଡ଼ିତ ହର୍ମୋନ୍‌ ଉପରେ ପ୍ରଭାବ ପକାଇପାରେ । ଫଳରେ ଅଧିକ ଭୋକ ଲାଗିବା ସହିତ ଓଜନ ବୃଦ୍ଧି କରିଥାଏ । ପର୍ଯ୍ୟାପ୍ତ ନିଦ ନହେଲେ ଶରୀର ଇନ୍‌ସୁଲିନ୍‌ ଓ ରକ୍ତରେ ଶର୍କରା ନିୟନ୍ତ୍ରଣକୁ ଭିନ୍ନ ଭାବରେ ପ୍ରଭାବିତ କରିପାରେ । ନିଦ୍ରା ଅଭାବ ମନୋଭାବ, ଏକାଗ୍ରତା, ନିଷ୍ପତ୍ତି ନେବା ଓ ସ୍ମୃତି ଉପରେ ପ୍ରଭାବ ପକାଇପାରେ । ଦୀର୍ଘ ସମୟ ଧରି ଖରାପ ନିଦ୍ରା ଡିପ୍ରେସନ୍‌ ଓ ଆତଙ୍କ ସହ ମଧ୍ୟ ସମ୍ପର୍କିତ ଥିବା ତଥ୍ୟ ମିଳିଛି । କମ୍‌ ନିଦ୍ରା ହେଲେ ଦିନବେଳେ ଅତ୍ୟଧିକ ଥକାପଣ, ଧ୍ୟାନ ଦେବାରେ ସମସ୍ୟା, ଧୀର ପ୍ରତିକ୍ରିୟା ଓ ଅଧିକ ଭୁଲ୍‌ ହେବାର ସମ୍ଭାବନା ରହେ । ଦିନସାରା କାମ କରିବା ପାଇଁ ଯେପରି ଖାଦ୍ୟ ଓ ପାଣି ଆବଶ୍ୟକ, ସେହିପରି ଶରୀର ଓ ମସ୍ତିଷ୍କ ପାଇଁ ପର୍ଯ୍ୟାପ୍ତ ନିଦ୍ରା ମଧ୍ୟ ଜରୁରୀ । ତେଣୁ ଅନିଦ୍ରା ରହିବା ଠିକ୍ ନୁହେଁ ନଚେତ୍ ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ବିଗାଡିଦେଇପାରେ ।