ଅଯୋଧ୍ୟା ରେ ନିର୍ମାଣ ହେବ ଭବ୍ୟ ତୀର୍ଥସ୍ଥଳୀ

ପିତାଙ୍କ ସ୍ମୃତିରେ ଅମିତାଭଙ୍କ ବଡ ନିଷ୍ପତ୍ତି

ଅଯୋଧ୍ୟାରେ କିଣିଲେ ଜାଗା,ନିର୍ମାଣ ହେବ ଭବ୍ୟ ଧର୍ମଶାଳା

ହରିବଂଶ ରାୟ ବଚ୍ଚନଙ୍କ ସ୍ମୃତିରେ ହେବ ତୀର୍ଥସ୍ଥଳୀ

ଆମ ଦେଶର ଅନେକ ପବିତ୍ର ତୀର୍ଥସ୍ଥାନ ମଧ୍ୟରୁ ଗୋଟିଏ ହେଉଛି ଅଯୋଧ୍ୟା । ଯେବେଠାରୁ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହୋଇଛି ସେବେଠାରୁ ଦେଶବିଦେଶରୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମୁଛି । ଏପରିକି ବଲିଉଡର ବଡ ବଡ କଳାକାରମାନେ ମଧ୍ୟ ଅଯୋଧ୍ୟା ସହିତ ଯୋଡି ହେଉଛନ୍ତି ତେବେ ଏପରି କହିବା ପଛର କାରଣ ହେଉଛି ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ତାଙ୍କ ପିତାଙ୍କ ସ୍ମୃତିରେ ଅଯୋଧ୍ୟାରେ ଏକ ଭବ୍ୟ ଧର୍ମଶାଳା ନିର୍ମାଣ କରିବାକୁ ଯାଉଛନ୍ତି ଏବଂ ରଣବୀର କପୁର ମଧ୍ୟ ସେଠାରେ ଜମି କିଣିଥିବା ଖବର ସାମ୍ନାକୁ ଆସିଛି ।ସୂଚନା ମୁତାବକ ଅମିତାଭ ବଚ୍ଚନ ତାଙ୍କ ପିତା ତଥା ବିଶିଷ୍ଟ କବି ହରିବଂଶ ରାୟ ବଚ୍ଚନଙ୍କ ସ୍ମୃତିରେ ଅଯୋଧ୍ୟାରେ 20 କକ୍ଷ ବିଶିଷ୍ଟ ଏକ ଧର୍ମଶାଳା ବା ତୀର୍ଥଯାତ୍ରୀ ବିଶ୍ରାମଗାର ନିର୍ମାଣ କରିବାକୁ ଯୋଜନା କରିଛନ୍ତି । ନିର୍ମାଣାଧୀନ ‘ଦଶରଥ ପଥ’ କଡ଼ରେ ଏହି ପ୍ରକଳ୍ପ ନିର୍ମାଣ ହେବ, ଯେଉଁଥିପାଇଁ ‘ହରିବଂଶ ରାୟ ବଚ୍ଚନ ମେମୋରିଆଲ୍ ଟ୍ରଷ୍ଟ’ ପ୍ରାୟ ୧୫ କୋଟି ଟଙ୍କା ମୂଲ୍ୟର ଜମି କ୍ରୟ କରିସାରିଛି । ଅଯୋଧ୍ୟା ଡେଭଲପମେଣ୍ଟ ଅଥରିଟି ନିକଟରେ ଏହାର ନିର୍ମାଣ ଯୋଜନା ଅନୁମୋଦନ ପାଇଁ ଦାଖଲ କରାଯାଇଛି । ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ରହଣି ପାଇଁ ଏହି ଧର୍ମଶାଳାରେ ସମସ୍ତ ସୁବିଧା ରହିବ ।  ବିଶେଷକରି, ଏଠାରେ ହରିବଂଶ ରାୟ ବଚ୍ଚନଙ୍କ କବିତା ପୁସ୍ତକ ପାଇଁ ଏକ ସ୍ୱତନ୍ତ୍ର କକ୍ଷ ଏବଂ ତାଙ୍କ ସାହିତ୍ୟିକ ଯାତ୍ରାକୁ ଦର୍ଶାଉଥିବା ପୋଷ୍ଟରଗୁଡ଼ିକ ପ୍ରଦର୍ଶିତ ହେବ, ଯାହା ଶ୍ରଦ୍ଧାଳୁଙ୍କୁ ବିଶେଷ ଭାବରେ ଆକୃଷ୍ଟ କରିବ । ଅଯୋଧ୍ୟାର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ବିକାଶରେ ବଲିଉଡର ଏହି ମହାନ କଳାକାରମାନଙ୍କର ଅବଦାନ ପ୍ରକୃତରେ ପ୍ରଶଂସନୀୟ । ପିତାଙ୍କ ସ୍ମୃତିରେ ଅମିତାଭଙ୍କ ଏହି ଜନକଲ୍ୟାଣକାରୀ ପଦକ୍ଷେପ ଏବଂ ଅଯୋଧ୍ୟା ପ୍ରତି କଳାକାରଙ୍କ ଆକର୍ଷଣ ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।