ବ୍ୟାଗ୍ରୁ ବାହାରିଲା ୧ କୋଟି ୪୦ ଲକ୍ଷ ଟଙ୍କା;ପୋଲିସ ହରାଇଲା ଚେତା

ରେଳ ଷ୍ଟେସନରେ ଟଙ୍କାର ପାହାଡ଼ । ବ୍ୟାଗ୍ ଭିତରୁ ବାହାରିଲା ବିଡା ବିଡା ବଣ୍ଡଲ। ଖାଲି ୫୦୦ ଟଙ୍କିଆ ବଣ୍ଡଲ। ନୋଟ ବିଡା ଦେଖି ଉଡିଗଲା ପୋଲିସର ଚେତା । ଏପରି ଘଟଣା ଘଟିଛି ପଶ୍ଚିମବଙ୍ଗର ଖଡଗପୁର ରେଳ ଷ୍ଟେସନରେ । ହେଲେ କୁଆଡୁ ଆସିଲେ ଏତେ ପରିମାଣର ଟଙ୍କା ? କାହା ପାଖକୁ ଯାଉଥିଲା ? ସ୍ପଷ୍ଟ ଜଣାପଡ଼ିନାହିଁ ।

ବୁଧବାର ଦିନ ଖଡ଼ଗପୁର ଷ୍ଟେସନର ୭ ନମ୍ବର ପ୍ଲାଟଫର୍ମରେ ରେଲୱେ ପୋଲିସ ପେଟ୍ରୋଲିଂ କରୁଥିଲା । ଏହି ସମୟରେ ୨ଟି ହ୍ୟାଣ୍ଡବ୍ୟାଗ୍ ଓ ଗୋଟିଏ ନୀଳ ରଙ୍ଗର ବ୍ୟାକପ୍ୟାକ୍ ଧରି ସନ୍ଦେହଜନକ ଭାବେ ବୁଲୁଥିଲେ ଜଣେ ଯୁବକ । ଯୁବକଙ୍କ ଚାଲିଚଳନ ଦେଖି ପୋଲିସର ସନ୍ଦେହ ହୋଇଥିଲା । ପୋଲିସ ତାଙ୍କୁ ଅଟକାଇ ବ୍ୟାଗ୍ ଯାଞ୍ଚ କରିଥିଲା । ଆଉ ବ୍ୟାଗ୍ ଖୋଲୁ ଖୋଲୁ ଉଡ଼ିଯାଇଥିଲା ସମସ୍ତଙ୍କର ହୋସ୍ । କାରଣ ବ୍ୟାଗ୍ ଭିତରେ ଥିଲା ଖାଲି ୫୦୦ ଟଙ୍କିଆ ବଣ୍ଡଲ । ତୁରନ୍ତ ନୋଟ୍ ଗଣିବା ମେସିନ୍ ମଗାଯାଇଥିଲା । ଗଣତି ପରେ ମୋଟ ୧ କୋଟି ୪୦ ଲକ୍ଷ ଟଙ୍କା ଥିବା ଜଣାପଡିଲା ।

୩୬ ବର୍ଷୀୟ ରାହୁଲ ସୋନି ନାମକ ବ୍ୟକ୍ତି ଏହି ଟଙ୍କା ନେଇ ଯାଉଥିଲେ । ଜେରା ସମୟରେ ରାହୁଲ ମାନିଛନ୍ତି ଯେ, ସେ ଏହି ନଗଦ ଟଙ୍କା ଟାଟାନଗରରୁ ହାୱଡ଼ା ନେଉଥିଲେ । ହେଲେ ଏହି ବିପୁଳ ପରିମାଣର ଟଙ୍କାର କୌଣସି ବୈଧ କାଗଜପତ୍ର କିମ୍ବା ଉତ୍ସ ଦେଖାଇ ପାରିନଥିବାରୁ ପୋଲିସ ତାଙ୍କୁ ଗିରଫ କରିଛି ।