ଭୁବନେଶ୍ୱର: ଓଡ଼ିଶାରେ ଶୀତର ପ୍ରଭାବ ଅନୁଭୂତ ହେବା ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଯୁଗଳ ସହର ଭୁବନେଶ୍ୱର ଓ କଟକରେ ତାପମାତ୍ରା ୨୦°C ତଳକୁ ଖସି ଆସିଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ପାଣିପାଗ ବିଭାଗ (IMD) ସୋମବାର ଦିନ ପୂର୍ବାନୁମାନ କରିଛି ଯେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ଆହୁରି ୨ ରୁ ୩°C ପର୍ଯ୍ୟନ୍ତ ହ୍ରାସ ପାଇପାରେ।

ନଭେମ୍ବର ୯ ତାରିଖରେ ରାଜ୍ୟବ୍ୟାପୀ ପାଗ ଶୁଖିଲା ରହିବାର ସମ୍ଭାବନା ଥିବାବେଳେ, ପରବର୍ତ୍ତୀ ଦିନଗୁଡ଼ିକରେ ପାଗରେ ପରିବର୍ତ୍ତନ ଆସିପାରେ। ନଭେମ୍ବର ୧୦ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ପ୍ରଭାବ ନଭେମ୍ବର ୧୧ ତାରିଖ ବେଳକୁ ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ କଟକ ଜିଲ୍ଲାକୁ ମଧ୍ୟ ବ୍ୟାପିପାରେ।
ଅନ୍ୟପକ୍ଷରେ, ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଆକାଶ ଆଂଶିକ ମେଘୁଆ ରହିବା ସହ କୁହୁଡ଼ିଆ ପରିବେଶ ରହିପାରେ। ଏଠାରେ ସର୍ବାଧିକ ତାପମାତ୍ରା ପ୍ରାୟ ୩୧°C ଏବଂ ସର୍ବନିମ୍ନ ତାପମାତ୍ରା ପ୍ରାୟ ୧୯°C ରହିବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ସକାଳ ୮:୩୦ ସୁଦ୍ଧା ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୮.୯°C ଏବଂ କଟକରେ ୧୭.୬°C ରେକର୍ଡ କରାଯାଇଛି। ରାଜ୍ୟର ଭିତର ଅଞ୍ଚଳ ଏବଂ ଉଚ୍ଚ ସ୍ଥାନଗୁଡ଼ିକରେ ତାପମାତ୍ରା ଆହୁରି ଅଧିକ ହ୍ରସ ପାଇଛି; ଯେଉଁଠାରେ ସିମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୨.୨°C, ଫୁଲବାଣୀରେ ୧୪°C ଏବଂ ଭବାନୀପାଟଣା ଓ ଦାରିଙ୍ଗବାଡ଼ିରେ ୧୫°C ରେକର୍ଡ କରାଯାଇଛି।