ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି, ପରମ୍ପରା ଓ ଲୋକକଳାର ମହକକୁ ନେଇ ପୁଣିଥରେ ଉତ୍ସବମୁଖର ହେବ ଶ୍ରୀକ୍ଷେତ୍ର। ଦୀର୍ଘ ୫୯ ବର୍ଷର ସାଂସ୍କୃତିକ ପରମ୍ପରାକୁ ଆଗେଇ ନେଇ କୁମାର ଉତ୍ସବ ସମିତି ପକ୍ଷରୁ ଆସନ୍ତା ନଭେମ୍ବର ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ପୁରୀର ଶରଧାବାଲିସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ହେବ ୫୯ତମ କୁମାର ଉତ୍ସବ-୨୦୨୬।
ଚଳିତ ବର୍ଷର ଉତ୍ସବର ମୁଖ୍ୟ ଆକର୍ଷଣ ରହିବ ମହାନ ବିପ୍ଳବୀ ସହିଦ ଭଗତ ସିଂହଙ୍କ ଜୀବନୀ ଓ ଦେଶପ୍ରେମର ଭାବଧାରା ଉପରେ ଆଧାରିତ ନାଟକ ‘ଇନକିଲାବ ଜିନ୍ଦାବାଦ୍’। ଯୁବ ନାଟ୍ୟ ନିର୍ଦ୍ଦେଶକ ସନ୍ତୋଷ କୁମାର ମହାନ୍ତିଙ୍କ ନିର୍ଦ୍ଦେଶନାରେ ଏହି ନାଟକ ମଞ୍ଚସ୍ଥ ହେବ। ଏଥିସହ ବଲିଉଡ୍ର ଲୋକପ୍ରିୟ କଣ୍ଠଶିଳ୍ପୀ ଅଲତାଫ୍ ରାଜାଙ୍କ ସଙ୍ଗୀତ ପରିବେଷଣ ଦର୍ଶକଙ୍କ ପାଇଁ ଅନ୍ୟତମ ଆକର୍ଷଣ ହେବ।
ଉଦ୍ଘାଟନୀ ସନ୍ଧ୍ୟାରେ ରୂପା ଆଣ୍ଡ ଟ୍ରୁପ୍ ପକ୍ଷରୁ ସଙ୍ଗୀତ ରୂପକ ‘କୁଆଁର ପୁନେଇଁ ଜହ୍ନ’, ବୈଭବୀ କଳା କେନ୍ଦ୍ର ପକ୍ଷରୁ ମାହାରୀ ଓ ଓଡ଼ିଶୀ ନୃତ୍ୟ, ବରଦ ମହାବୀର ନୃତ୍ୟ ଗ୍ରୁପ୍ର ମେଢ଼ ନୃତ୍ୟ, ଢୋଲ ମହୁରୀ କଳା ପରିଷଦ, ବଲାଙ୍ଗୀରର ସମ୍ବଲପୁରୀ ଲୋକନୃତ୍ୟ, ଲିଙ୍ଗରାଜ ନୃତ୍ୟାଳୟର ଆଦିବାସୀ ଓ ସମ୍ବଲପୁରୀ ନୃତ୍ୟ, ସାଇ ସମୃଦ୍ଧି ଡ୍ୟାନ୍ସ ଗ୍ରୁପ୍, ସାକ୍ଷୀଗୋପାଳର ଦେବୀସ୍ତୁତି ଏବଂ ଲିଙ୍ଗରାଜ କଳା ନିକେତନ, ପୁରୀର ‘ସର୍ବଭୂତେ ହରି’ ପରିବେଷିତ ହେବ।
ଦ୍ୱିତୀୟ ଦିବସରେ ଅନନ୍ୟା କଳା ମନ୍ଦିର, ପୁରୀ ପକ୍ଷରୁ ଓଡ଼ିଶୀ ଓ ସମ୍ବଲପୁରୀ ଲୋକନୃତ୍ୟ, ୟୁନିକ୍ ଟ୍ରାନ୍ସଜେଣ୍ଡର ଗ୍ରୁପ୍ର ‘ନବଦୁର୍ଗା’, ନଟରାଜ ଡ୍ୟାନ୍ସ ଏକାଡେମୀ, କଟକର ରାଜସ୍ଥାନୀ ଲୋକନୃତ୍ୟ, ଜେଡିସି ନୃତ୍ୟଭୂମିର ବେଙ୍ଗଲ ଫୋକ୍ ଏବଂ ଆଦିନୃତ୍ୟ କଳା ଡ୍ୟାନ୍ସ ଏକାଡେମୀର ଝୁମର ନୃତ୍ୟ ପରିବେଷିତ ହେବ। ଉତ୍ସବର ଶେଷ ଦିବସରେ ଚାରୁ ନର୍ତ୍ତନ ପକ୍ଷରୁ ଓଡ଼ିଶୀ ନୃତ୍ୟ ‘କି ଶୋଭା ଗୋ କୁଞ୍ଜେ’ ପରିବେଷଣ କରାଯିବ।
ଏହି ଅବସରରେ ଭୂଦାନ ଛକସ୍ଥିତ ପୂଜାପଣ୍ଡା କନଭେନସନ୍ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମିତିର ସାଧାରଣ ସମ୍ପାଦକ ସ୍ୱାଧୀନ କୁମାର ପଣ୍ଡା କାର୍ଯ୍ୟକ୍ରମର ସଂଯୋଜନା କରିଥିବାବେଳେ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଚକ୍ରଧର ମହାପାତ୍ର ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକାରୀ ସଭାପତି ରାଜେଶ ମିଶ୍ର, ସ୍ମରଣିକା ସମ୍ପାଦକ ଶ୍ରୀକାନ୍ତ ମହାନ୍ତି, ଉପସଭାପତି ଅମରେନ୍ଦ୍ର ପାଇକରାୟ, ପୂଜାପଣ୍ଡା କନଭେନସନର କୃପାସିନ୍ଧୁ ପୂଜାପଣ୍ଡା ଓ ପ୍ରତିଯୋଗିତା ସଂଯୋଜନା କମିଟିର ଅଧ୍ୟକ୍ଷ ସୁକାନ୍ତ ପଣ୍ଡାଙ୍କ ସମେତ ସମିତିର ବହୁ ସଦସ୍ୟ ଉପସ୍ଥିତ ଥିଲେ। ସାମ୍ବାଦିକ ସମ୍ମିଳନୀରେ ସନ୍ତୋଷ ମହାନ୍ତି, ଶୁଭଶ୍ରୀ ଜୟସିଂହ, ନିଗମ ପାତ୍ର, ଲିନୁ ନାୟକ, ଗୌତମ ସାହୁ, କ୍ଷୀରୋଦ କୁମାର ଦାଶ, ସୌମ୍ୟ ରଞ୍ଜନ ନାୟକ, ରାକେଶ କୁମାର ନାୟକ, ଅମ୍ରିତ କୁମାର ସାମନ୍ତରାୟ, ପପି ସାହୁ, ମିର୍ଣ୍ଣାଲିନ ଦାସ, ମନସ୍ମିତା ସାହୁ, ଚନ୍ଦନ କୁମାର ସାହୁ, ପ୍ରୀତିପନ୍ନା କରଣ, ଜ୍ୟୋତିର୍ମୟୀ ପଣ୍ଡା, ନିରଜ ମହାନ୍ତି, ପାୟଲ ମହାନ୍ତି, ବନିତା ଦୀକ୍ଷିତ, ସାହିଲ ମହାନ୍ତି ଓ ଅଭ୍ୟୁଦୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ।