ଖଣିଜ ସଂଶୋଧନ ପ୍ରସଙ୍ଗରେ ନବୀନଙ୍କୁ ପ୍ରଦୀପ ପୁରୋହିତଙ୍କ ଜବାବ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପତ୍ରର ପ୍ରତ୍ୟୁତ୍ତର ଦେଇଛନ୍ତି ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ। ଓଡ଼ିଶାର ଖଣିଜ ସମ୍ପଦ, ରାଜସ୍ୱ, ଖଣି ପ୍ରଭାବିତ ଅଞ୍ଚଳ ଏବଂ ଯୁବକଙ୍କ ରୋଜଗାରକୁ ନେଇ ସେ ତାଙ୍କ ପତ୍ରରେ ବିଭିନ୍ନ ଯୁକ୍ତି ରଖିଛନ୍ତି।

ପ୍ରଦୀପ ପୁରୋହିତଙ୍କ ଅଭିଯୋଗ ଅନୁଯାୟୀ, ଖଣିଜ ସମ୍ପଦ ପରିଚାଳନାକୁ ନେଇ ପୂର୍ବତନ ସରକାରଙ୍କ ଶାସନକାଳରେ ଅନେକ ଅନିୟମିତତା ଓ ଖଣି ଘୋଟାଲା ସାମ୍ନାକୁ ଆସିଥିଲା। ଜଷ୍ଟିସ୍ ଏମ୍. ବି. ଶାହ କମିଶନଙ୍କ ରିପୋର୍ଟର ଉଲ୍ଲେଖ କରି ସେ ଖଣିଜ ସମ୍ପଦର ଅନିୟମିତ ବ୍ୟବହାରକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ଏହାସହ ଚିଠିରେ ପ୍ରତିବର୍ଷ ୧୨ ହଜାର କୋଟି ଟଙ୍କା ରାଜସ୍ୱ କ୍ଷତି ହେଉଥିବା ଦାବିକୁ ଭ୍ରାନ୍ତିକର ବୋଲି ଦର୍ଶାଇଛନ୍ତି ପୁରୋହିତ। ତାଙ୍କ ମତରେ ପାରଦର୍ଶୀ ଇ-ନିଲାମୀ ବ୍ୟବସ୍ଥା, ବୈଧ ରୟାଲ୍ଟି ଏବଂ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (DMF) ମାଧ୍ୟମରେ ରାଜ୍ୟର ରାଜସ୍ୱ ସୁରକ୍ଷିତ ରହିପାରିବ।

ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଗଠିତ DMF ଓ OMBADC ପାଣ୍ଠିର ବ୍ୟବହାରକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ଖଣି ପ୍ରଭାବିତ ଜିଲ୍ଲାର ଲୋକଙ୍କ ବିକାଶ, ପୁନର୍ବାସ, ପ୍ରଦୂଷଣ ନିୟନ୍ତ୍ରଣ ଓ ମୌଳିକ ସୁବିଧା ପାଇଁ ଏହି ପାଣ୍ଠିର ସଠିକ୍ ବ୍ୟବହାର ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

ଅନ୍ୟପକ୍ଷରେ, ଓଡ଼ିଶାର ପ୍ରଚୁର ଖଣିଜ ସମ୍ପଦର ସଦୁପଯୋଗ କରି ରାଜ୍ୟରେ ଶିଳ୍ପାୟନ ଓ ରୋଜଗାର ସୃଷ୍ଟି ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ନୂଆ ସଂଶୋଧନ ଆଇନ ଦ୍ୱାରା ଖଣିଜ ଅନ୍ୱେଷଣ, ଖଣିଜର ସଦୁପଯୋଗ ଓ ଭ୍ୟାଲୁ ଆଡିସନ୍‌କୁ ଗୁରୁତ୍ୱ ମିଳିଲେ ରାଜ୍ୟରେ ଶିଳ୍ପ ଏବଂ ସ୍ଥାନୀୟ ରୋଜଗାରର ସୁଯୋଗ ବଢ଼ିବ ବୋଲି ସେ କହିଛନ୍ତି।
ତେବେ ସଂସଦରେ ତାଙ୍କ ମତ ପାରଦର୍ଶିତା, ଦୁର୍ନୀତିମୁକ୍ତ ଖଣି ପରିଚାଳନା, ଯୁବକଙ୍କ ରୋଜଗାର ଓ ଓଡ଼ିଶାର ସମୃଦ୍ଧି ପାଇଁ ବୋଲି ପ୍ରଦୀପ ପୁରୋହିତ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।