ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଅର୍ଶଦୀପ ସିଂହ ନିକଟରେ ଏକ ସାକ୍ଷାତକାରରେ ଦେଇଥିବା ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହେଉଛି। ସାକ୍ଷାତକାର ସମୟରେ ତାଙ୍କୁ ଭାରତର ସର୍ବକାଳୀନ ଶ୍ରେଷ୍ଠ ପାଞ୍ଚ ଜଣ ବୋଲରଙ୍କ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ଅର୍ଶଦୀପ ନିଜ ପସନ୍ଦ ଅନୁସାରେ ଭୁବନେଶ୍ୱର କୁମାରଙ୍କୁ ପ୍ରଥମ, ମହମ୍ମଦ ଶାମିଙ୍କୁ ଦ୍ୱିତୀୟ, କୁଲଦୀପ ଯାଦବଙ୍କୁ ତୃତୀୟ, ୟୁଜବେନ୍ଦ୍ର ଚହଲଙ୍କୁ ଚତୁର୍ଥ ଏବଂ ଅଭିଜ୍ଞ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ପଞ୍ଚମ ସ୍ଥାନରେ ରଖିଥିଲେ।

ତେବେ ଅଶ୍ୱିନଙ୍କ ନାମ ପଞ୍ଚମ ସ୍ଥାନରେ ନେବା ପରେ ଅର୍ଶଦୀପ ତୁରନ୍ତ ହସି ହସି କହିଥିଲେ, “ସରି ଅଶ୍ ଭାଇ। ଆପଣଙ୍କୁ ଶେଷରେ ରଖିବାକୁ ମୁଁ ଚାହୁଁ ନଥିଲି। କିନ୍ତୁ ଅନ୍ୟ କୌଣସି ସ୍ଥାନ ଖାଲି ନଥିଲା। ମୁଁ ଆପଣଙ୍କୁ ବ୍ୟକ୍ତିଗତ ଭାବେ ମେସେଜ୍ କରି କ୍ଷମା ମାଗିବି।” ଅର୍ଶଦୀପଙ୍କ ଏହି ମନ୍ତବ୍ୟ ଶୁଣି ସେଠାରେ ଉପସ୍ଥିତ ସମସ୍ତେ ହସି ପକାଇଥିଲେ।

ଅର୍ଶଦୀପ କହିଥିଲେ ଯେ ଭୁବନେଶ୍ୱର କୁମାର ତାଙ୍କର ଅତ୍ୟନ୍ତ ପ୍ରିୟ ବୋଲର। ନୂଆ ବଲ୍ରେ ସ୍ୱିଙ୍ଗ କରାଇବାର କଳା ଓ ଚାପ ସମୟରେ ଦଳ ପାଇଁ ବ୍ରେକଥ୍ରୁ ଆଣିବାର କ୍ଷମତା ତାଙ୍କୁ ସବୁବେଳେ ପ୍ରେରଣା ଦେଇଥାଏ। ସେହିପରି ମହମ୍ମଦ ଶାମି ଯେକୌଣସି ପିଚ୍ରେ ସେ ବଲ୍କୁ ସ୍ୱିଙ୍ଗ କରାଇବାର କ୍ଷମତା ରଖନ୍ତି , କୁଲଦୀପ ଯାଦବଙ୍କ ବିବିଧତା ଏବଂ ୟୁଜବେନ୍ଦ୍ର ଚହଲଙ୍କ ୱିକେଟ୍ ନେବାର କ୍ଷମତାକୁ ମଧ୍ୟ ସେ ପ୍ରଶଂସା କରିଥିଲେ।

ଅର୍ଶଦୀପଙ୍କ ଏହି ‘ସରି’ କହିବା ପଛରେ କୌଣସି ବିବାଦ କିମ୍ବା ଅସମ୍ମାନର ଭାବନା ନଥିଲା। ବରଂ ଏହା ଏକ ହାଲୁକା ମଜାଳିଆ ମୁହୂର୍ତ୍ତ ଥିଲା। ସେ ନିଜେ ସ୍ପଷ୍ଟ କରିଥିଲେ ଯେ ଅଶ୍ୱିନ ଭାରତୀୟ କ୍ରିକେଟର ଜଣେ ମହାନ ବୋଲର ଏବଂ ତାଙ୍କୁ ତାଲିକାର ଶେଷରେ ରଖିବା କେବଳ ପରିସ୍ଥିତିର କାରଣରୁ ହୋଇଥିଲା। ଅର୍ଶଦୀପଙ୍କ ଏହି ମଜାଳିଆ ପ୍ରତିକ୍ରିୟା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି।