କେରଳର ୱାୟାନାଡ ଜିଲ୍ଲାରେ ପୁଣି ଥରେ ପ୍ରକୃତିର କୋପ ଦେଖିବାକୁ ମିଳିଛି। ମଙ୍ଗଳବାର ସକାଳେ ପ୍ରବଳ ବର୍ଷା ଯୋଗୁଁ ଏକ ଭୟଙ୍କର ଭୂସ୍ଖଳନ ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। କଲ୍ଲାଡିର ମୀନାକ୍ଷୀ ସେତୁ ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ଅନେକ ଲୋକ ମାଟି ଓ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ପୋଲିସ ଏବଂ ଏନଡିଆରଏଫ (NDRF) ଦଳ ପହଞ୍ଚି ଜେସିବି ସାହାଯ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ଘଟଣାସ୍ଥଳରୁ ଏକ ସାଂଘାତିକ ସିସିଟିଭି (CCTV) ଫୁଟେଜ୍ ସାମ୍ନାକୁ ଆସିଛି। ଜୁଲାଇ ୭ ସକାଳ ପ୍ରାୟ ୧୧ଟା ୧୫ ମିନିଟ୍ରେ ସୁଡ଼ଙ୍ଗ ମୁହଁରୁ ହଠାତ୍ ଏକ ଶକ୍ତିଶାଳୀ କାଦୁଆ ଓ ଭଗ୍ନାବଶେଷର ସ୍ରୋତ ମାଡ଼ିଆସିଥିଲା। ଏହି କାଦୁଆ ଢେଉ ସେଠାରେ ଠିଆ ହୋଇଥିବା ଏକ ବିରାଟ ପାଣି ଟ୍ୟାଙ୍କରକୁ ନଡ଼ା କୁଟା ଭଳି ଭାସି ନେଇଯାଇଥିଲା। ଏହି ସ୍ରୋତ ମଧ୍ୟରେ ଦୁଇଜଣ ଲୋକ ଫସିଯାଇଥିବା ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି। ସୂଚନା ଅନୁଯାୟୀ, ଲଗାଣ ବର୍ଷା ଯୋଗୁଁ ସୋମବାରଠାରୁ ହିଁ ଏଠାରେ ନିର୍ମାଣ କାର୍ଯ୍ୟ ବନ୍ଦ ରଖାଯାଇଥିଲା।
ମିଳିଥିବା ସୂଚନା ମୁତାବକ, ସେଠାରେ ପ୍ରାୟ ୨,୧୦୦ ରୁ ୨,୨୦୦ କୋଟି ଟଙ୍କା ବ୍ୟୟରେ ୮.୧୭ କିଲୋମିଟର ଲମ୍ବ ବିଶିଷ୍ଟ ‘ମାଲାପ୍ପୁରମ୍-ୱାୟାନାଡ୍ ସୁଡ଼ଙ୍ଗ ପ୍ରକଳ୍ପ’ର କାମ ଚାଲିଛି। ସୁଡ଼ଙ୍ଗ ଖୋଳାଯାଇ ମାଟିଗୁଡ଼ିକୁ ବାହାରେ ଗଦା କରି ରଖାଯାଇଥିଲା। ମାତ୍ର ପ୍ରବଳ ବର୍ଷା ଯୋଗୁଁ ସେହି ଓଦା କାଦୁଆ ମାଟି ହଠାତ୍ ତଳକୁ ଧସିଯିବା ସହ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିଲା ଏବଂ ସୁରକ୍ଷା ପାଇଁ ଲଗାଯାଇଥିବା ବ୍ୟାରିକେଡ୍ଗୁଡ଼ିକ ସମ୍ପୂର୍ଣ୍ଣ ଧୋଇଯାଇଥିଲା।
ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣର (GSI) ୨୦୨୧ ରିପୋର୍ଟ ଅନୁଯାୟୀ, କେରଳର ମୋଟ ଭୂସ୍ଖଳନ ପ୍ରବଣ ଅଞ୍ଚଳର ୪୩% କେବଳ ୱାୟାନାଡରେ ଅଛି। ଏହାର ୫୧% ଭୂମି ସମ୍ପୂର୍ଣ୍ଣ ପାହାଡ଼ିଆ, ଯାହା ଏହାକୁ ଅତ୍ୟନ୍ତ ସମ୍ବେଦନଶୀଳ କରିଥାଏ। ପଶ୍ଚିମଘାଟ ପାର୍ବତ୍ୟ ମାଳାରେ ୭୦୦ ରୁ ୨୧– ମିଟର ଉଚ୍ଚତାରେ ଅବସ୍ଥିତ ଏହି ମାଳଭୂମି ଅଞ୍ଚଳରେ ମୌସୁମୀ ପ୍ରବାହର ଆରବ ସାଗର ଶାଖା ଆଘାତ କରିବା ଫଳରେ ପ୍ରବଳ ବର୍ଷା ହୋଇଥାଏ। ଏଠାରେ ପ୍ରବାହିତ କାବିନୀ ନଦୀ ଏବଂ ତାର ଶାଖା ନଦୀ ମନନ୍ଥବାଦୀ ମଧ୍ୟ ଏହି ଭୂସ୍ଖଳନ ଯୋଗୁଁ ବହୁତ କ୍ଷତିଗ୍ରସ୍ତ ହୋଇଛନ୍ତି।
ଏହି ଘଟଣା ସ୍ଥାନୀୟ ଲୋକଙ୍କ ମନରେ ପୁଣି ଥରେ ପୁରୁଣା ଆତଙ୍କ ଖେଳାଇ ଦେଇଛି। ଏହାପୂର୍ବରୁ ୩୦ ଜୁଲାଇ ୨୦୨୪ରେ ୱାୟାନାଡର ମୁଣ୍ଡକ୍କାଇ, ଚୁରଲମାଲା, ଆଟ୍ଟାମାଲା ଏବଂ ନୁଲପୁଝା ଗାଁରେ ଗୋଟିଏ ପରେ ଗୋଟିଏ ତିନୋଟି ଭୂସ୍ଖଳନ ଘଟି ୪୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ସେହିପରି ୨୦୧୯ ମସିହାରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ୧୭ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୫୨ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ବର୍ତ୍ତମାନ ପରିସ୍ଥିତିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଆଲର୍ଟ ଜାରି କରାଯାଇଛି।