ଭାରତରେ ଏବେ ବଡ଼ ଚର୍ଚ୍ଚାର ପ୍ରସଙ୍ଗ Cockroach Janta Party (CJP) । ହେଲେ ଲଞ୍ଚ ହେବାର ୪ ଦିନ ପରେ ଏହାର ଟ୍ବିଟର ଆକାଉଣ୍ଟକୁ ଡିଲିଟ୍ କରିଦିଆଯାଇଛି । କିନ୍ତୁ ଏବେ ଏହାର ସ୍ରଷ୍ଟା ଅଭିଜିତ ଦିପକେଙ୍କୁ ହତ୍ୟା ଧମକ ମିଳୁଛି । ଧମକ ମିଳିବା ପରେ ଅଭିଜିତ୍ ଚୁପ୍ ନରହି ଏହାର ପ୍ରମାଣ ସର୍ବସାଧାରଣରେ ପ୍ରକାଶ କରିଛନ୍ତି। ସେ ନିଜର ମାଇକ୍ରୋବ୍ଲଗିଂ ସାଇଟ୍ ‘ଏକ୍ସ’ (ପୂର୍ବର ଟ୍ୱିଟର) ଆକାଉଣ୍ଟରେ ହ୍ୱାଟ୍ସଆପ୍ ଚାଟ୍ର କିଛି ସ୍କ୍ରିନସଟ୍ (Screenshots) ସେୟାର୍ କରିଛନ୍ତି। ସ୍କ୍ରିନସଟ୍ ସେୟାର୍ କରି ସେ ଲେଖିଛନ୍ତି, ‘ବର୍ତ୍ତମାନ ଜୀବନରୁ ମାରିଦେବାକୁ ଧମକ ମିଳୁଛି।’ ଧମକପୂର୍ଣ୍ଣ ମେସେଜରେ ସ୍ପଷ୍ଟ ଭାବେ ଲେଖାଯାଇଛି, “ଆମେ ତୁମକୁ କକ୍ରୋଚ୍ ଜନତା ପାର୍ଟିର ଆକାଉଣ୍ଟ ବନ୍ଦ କରିବା ପାଇଁ ଟଙ୍କା ଦେବୁ। ନଚେତ୍, ଆମେ ତୁମକୁ ଆମେରିକାରେ ମଧ୍ୟ ମାରିଦେବୁ।”

ସୋସିଆଲ ମିଡିଆରେ ସକ୍ରିୟ ଥିବା Cockroach Janta Party (CJP) ଲୋକଙ୍କ ପାଇଁ ଏହି ନାମଟି ଆଦୌ ନୂଆ ନୁହେଁ। ଏହା କୌଣସି ପ୍ରକୃତ ରାଜନୈତିକ ଦଳ ନୁହେଁ, ବରଂ ଏକ ପ୍ରସିଦ୍ଧ ବ୍ୟଙ୍ଗାତ୍ମକ (Parody/Satire) ଆକାଉଣ୍ଟ । ନିଜର ନିଆରା ପୋଷ୍ଟ ଯୋଗୁଁ ଖୁବ୍ କମ୍ ସମୟ ମଧ୍ୟରେ ଏହି ପେଜ୍ ଲକ୍ଷ ଲକ୍ଷ ଫଲୋୟର୍ସଙ୍କ ମନ ଜିତିବାରେ ସଫଳ ହୋଇଛି । ବୋଷ୍ଟନ ବିଶ୍ୱବିଦ୍ୟାଳୟର ଛାତ୍ର ଅଭିଜିତ ଦିପକେ କିଛି ଦିନ ପୂର୍ବରୁ କକ୍ରୋଚ୍ ଜନତା ପାର୍ଟି ଅଭିଯାନ ଆରମ୍ଭ କରିଥିଲେ। ମେ’ ୧୬ରୁ ଆଜି ମଧ୍ୟରେ ଏହାର ଇନଷ୍ଟାଗ୍ରାମ୍ (@cockroachjantaparty) ଫଲୋୟର୍ସଙ୍କ ସଂଖ୍ୟା ୨୦ ମିଲିୟନ ଟପିଛି ।
![]()
କକ୍ରୋଚ୍ ଜନତା ପାର୍ଟିକୁ ଏକ ସ୍ୱତନ୍ତ୍ର ଏବଂ ନିରପେକ୍ଷ ବ୍ୟଙ୍ଗାତ୍ମକ ପେଜ୍ ବୋଲି ଦର୍ଶାଯାଉଥିଲେ ମଧ୍ୟ, ଏହାର ପ୍ରତିଷ୍ଠାତା ଅଭିଜିତ୍ ଦିପକେ ପୂର୍ବରୁ ଆମ୍ ଆଦମୀ ପାର୍ଟି ସହ ସିଧାସଳଖ ଜଡ଼ିତ ଥିଲେ। ସୋସିଆଲ ମିଡିଆ ରେକର୍ଡ ଏବଂ ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମ ଅନୁସାରେ, ଅଭିଜିତ୍ ଦିପକେ ଆମ୍ ଆଦମୀ ପାର୍ଟିର ସୋସିଆଲ ମିଡିଆ ଟିମ୍ (Social Media Team) ରେ ଜଣେ ସକ୍ରିୟ ସଦସ୍ୟ ବା କ୍ରିଏଟର ଭାବେ କାମ କରୁଥିଲେ। ସେ ଦଳ ପାଇଁ ଅନେକ ଡିଜିଟାଲ୍ କ୍ୟାମ୍ପେନ୍ ମଧ୍ୟ ପରିଚାଳନା କରୁଥିଲେ। ସୋସିଆଲ ମିଡିଆ ବ୍ୟବହାରକାରୀ ଓ ବିରୋଧୀ ରାଜନୈତିକ ସମର୍ଥକମାନଙ୍କ ଅଭିଯୋଗ ଅନୁସାରେ, CJP ଆକାଉଣ୍ଟରୁ ପୋଷ୍ଟ କରାଯାଉଥିବା ଅଧିକାଂଶ ବ୍ୟଙ୍ଗ କେବଳ କେନ୍ଦ୍ର ସରକାର (BJP) କିମ୍ବା ଅନ୍ୟ ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ୍ କରି କରାଯାଉଛି , କିନ୍ତୁ ଆମ୍ ଆଦମୀ ପାର୍ଟି ବିରୁଦ୍ଧରେ ଏଥିରେ କୌଣସି ପୋଷ୍ଟ ଦେଖିବାକୁ ମିଳୁନାହିଁ। ସମାଲୋଚକଙ୍କ ଅନୁସାରେ, ‘କକ୍ରୋଚ ଜନତା ପାର୍ଟି’ କୌଣସି ସାଧାରଣ ବ୍ୟଙ୍ଗାତ୍ମକ ପେଜ୍ ନୁହେଁ। ଏହାକୁ ଆମ୍ ଆଦ ପାର୍ଟିର ଏକ ‘ପ୍ରକ୍ସି’ (Proxy) ଆକାଉଣ୍ଟ ଭାବେ ବ୍ୟବହାର କରାଯାଉଛି । ଏହା ଦ୍ବାରା ହାସ୍ୟରସ ବାହାନାରେ ବିରୋଧୀ ଦଳଗୁଡ଼ିକ ଉପରେ ରାଜନୈତିକ ଆକ୍ରମଣ କରାଯାଇପାରିବ।