ବିଜୁଳି ସର୍ଟସର୍କିଟରୁ ଅଗ୍ନିକାଣ୍ଡରେ ଦୁଇ ପରିବାରଙ୍କ ଘର ପୋଡି ପାଉଁଶ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ବଅଁରପାଳ ପଞ୍ଚାୟତ ଅଧୀନ ନରେନ୍ଦ୍ରପୁର ଗ୍ରାମରେ ଶୁକ୍ରବାର ଅପରାହ୍ଣରେ ଘଟିଥିବା ଅଗ୍ନିକାଣ୍ଡରେ ଦୁଇ ପରିବାରଙ୍କ ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ବିଜୁଳି ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପ୍ରମିଳା ଗଡନାୟକ ଓ ନର୍ମଦା ଗଡନାୟକଙ୍କ ପରିବାର ଅପରାହ୍ଣ ସମୟରେ ଘରେ ରୋଷେଇ କାମ ସାରି ଟିଭି ଦେଖୁଥିବା ବେଳେ ହଠାତ୍ ବିଦ୍ୟୁତ ତାରରେ ସର୍ଟସର୍କିଟ ହୋଇ ନିଆଁ ଲାଗିଥିଲା। ଘର ଭିତରେ ନିଆଁ ବ୍ୟାପିଯାଇଥିବା ଦେଖି ପରିବାର ଲୋକେ ଭୟରେ ବାହାରକୁ ଦୌଡ଼ି ପଡୋଶୀମାନଙ୍କୁ ଡାକିଥିଲେ। କିଛି ସମୟ ମଧ୍ୟରେ ଚାଳ ଘର ଦାଉଦାଉ କରି ଜଳିଉଠିଥିଲା।ପଡୋଶୀମାନେ ନିଆଁ ଲିଭାଇବାକୁ ଉଦ୍ୟମ କରିବା ସହ ବଅଁରପାଳ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁକୁ  ନିୟନ୍ତ୍ରଣ କରିଥିଲେ। ଫଳରେ ଗ୍ରାମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିବାରୁ ରକ୍ଷା ପାଇଥିଲା।ତେବେ ଏହି ଅଗ୍ନିକାଣ୍ଡରେ ଉଭୟ ପରିବାରର ଘର ସମ୍ପୂର୍ଣ୍ଣ ଭାବେ ପୋଡି ଛାରଖାର ହୋଇଯାଇଛି। ପିନ୍ଧା ବସ୍ତ୍ର, ପିଲାମାନଙ୍କ ପାଠପଢା ବହି, ଶିକ୍ଷାଗତ ପ୍ରମାଣପତ୍ର, ସୁନାଗହଣା ସହ ଘରେ ରଖାଯାଇଥିବା ଏକ ଲକ୍ଷ ଟଙ୍କାରୁ ଅଧିକ ନଗଦ ଧନ ମଧ୍ୟ ପୋଡି ପାଉଁଶ ହୋଇଯାଇଛି।ଘଟଣାସ୍ଥଳରେ ବଅଁରପାଳ ପଞ୍ଚାୟତର ସରପଞ୍ଚ ଅନୁସୂୟା ଗଡନାୟକ ପହଞ୍ଚି କ୍ଷତିଗ୍ରସ୍ତ ପରିବାରଙ୍କୁ ସମବେଦନା ଜଣାଇଥିଲେ। ସେ ଉଭୟ ପରିବାରଙ୍କୁ ନିଜ ଘରେ ଆଶ୍ରୟ ଦେବା ସହ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି।