ମଧ୍ୟପ୍ରଦେଶ ଭୋପାଲକୁ ଥରାଇ ଦେଇଛି ତ୍ୱିଶା ଶର୍ମାଙ୍କ ମୃତୁ୍ୟ । ବିବାହର ମାତ୍ର ୫ ମାସ ପରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ମିଳିବା ପରେ ସସ୍ପେନ୍ସ ବଢାଇଛି ମୃତୁ୍ୟ ରହସ୍ୟ । କାରଣ ତାଙ୍କ ସ୍ୱାମୀ ସମର୍ଥ ସିଂହ ପେଶାରେ ଜଣେ ଓକିଲ ଏବଂ ତାଙ୍କ ମାଆ ଜଣେ ଅବସରପ୍ରାପ୍ତ ବିଚାରପତି। ଆଉ ତ୍ୱିଶାଙ୍କ ବାପଘର ଏହାକୁ ଆତ୍ମହତ୍ୟା ନୁହେଁ, ବରଂ ଏକ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। କାରଣ ପୋଷ୍ଟମର୍ଟମ୍ ରିପୋର୍ଟରେ ତ୍ୱିଶାଙ୍କ ବଳପୂର୍ବକ ଗର୍ଭପାତ, ଶରୀରରେ ଆଘାତ ଏବଂ ତାଙ୍କ ମୃତ୍ୟୁ ପୂର୍ବରୁ ଶେଷ କଲ୍ ସମେତ ଅନେକ ତଥ୍ୟ ମାମଲାକୁ ଆହୁରି ରହସ୍ୟମୟ କରୁଛି। ପରିବାର SIT କିମ୍ବା CBI ତଦନ୍ତ ଦାବି କରିଥିବା ବେଳେ ଏଥିରେ ପୋଲିସର ଅବହେଳା ସାମ୍ନାକୁ ଆସିଛି । କାରଭ ତ୍ୱିଶାଙ୍କ ଶାଶୁ ଦାବି କରିଛନ୍ତି ଯେ, ତ୍ୱିଶା ମାନସିକ ରୋଗୀ ଏବଂ ନିଶା ସେବନକାରୀ ଥିଲେ । ଯେତେବେଳେ ସେ ଔଷଧ ଖାଇବାକୁ ପାଇନଥିଲେ ସେତେବେଳେ ସେ ଏହି କାଣ୍ଡ କରିଥିଲେ । ଏବଂ ଯୌତୁକ ଅଭିଯୋଗକୁ ଖଣ୍ଡନ କରିବା ପାଇଁ ତ୍ୱିଶାଙ୍କ ଶାଶୁ ୫୦୦୦ ରୁ ୫୦,୦୦୦ ପର୍ୟ୍ୟନ୍ତ ଅନଲାଇନ୍ କାରବାରର ସ୍ଲିପ୍ ଉପସ୍ଥାପନ କରିଥିଲେ। ଆଉ କହିଥିଲେ ଯେ ସେ ନିୟମିତ ଭାବରେ ତ୍ୱିଶାଙ୍କ ଆବଶ୍ୟକତା ପୂରଣ କରୁଥିଲେ ବୋଲି । ପୋଲିସ ଏହି ଦାବିକୁ ସମର୍ଥନ କରିବା ପାଇଁ ତ୍ୱିଶାଙ୍କ କିଛି ପ୍ରମାଣକୁ ଅସ୍ବୀକାର କରିଛି । ସପଟେ ତ୍ବିଶାଙ୍କ ବାପା, ମା.. ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକଙ୍କ ଉପରେ ଦୀର୍ଘକାଳୀନ ମାନସିକ ଏବଂ ଶାରୀରିକ ନିର୍ୟାତନା, ଯୌତୁକ ନିର୍ୟାତନା ଏବଂ ତଦନ୍ତକୁ ଅଟକାଇବା ପାଇଁ ପ୍ରଭାବ ପକାଇବାର ଅଭିଯୋଗ ଆଣିଛନ୍ତି । ତ୍ୱିଶାଙ୍କ ପରିବାର କହିଛନ୍ତି ଯେ ତ୍ୱିଶା ବିବାହ ପରେ ଲଗାତାର ମାନସିକ ନିର୍ୟାତନା ଯୋଗୁଁ ୧୫ କିଲୋଗ୍ରାମ ଓଜନ କମିଯାଇଥିଲେ । ଏହା ବ୍ୟତୀତ ତ୍ବିଶା ଏବଂ ତାଙ୍କ ମାଙ୍କ ମଧ୍ୟରେ ହୋଇଥିବା ଟେକ୍ସଟ୍ ମେସେଜ ଗୁଡିକ ତାଙ୍କ କଷ୍ଟକୁ ସ୍ପଷ୍ଟ ଭାବେ ପ୍ରତିଫଳିତ କରୁଥିଲା । ଅନ୍ୟପଟେ ତ୍ବିଶାଙ୍କ ମୃତ୍ୟୁର ଛଅ ଦିନ ପରେ ମଧ୍ୟ ପରିବାର ନ୍ୟାୟ ଦାବି କରି ତାଙ୍କର ମୃତଦେହକୁ ମର୍ଚ୍ୟୁରୀରୁ ସଂଗ୍ରହ କରିନାହାଁନ୍ତି ।
ସେହିପରି ଆଉ ଏକ ଘଟଣା ସାମ୍ନାକୁ ଆସିଛି, ଦିଲ୍ଲୀ ଗ୍ରେଟର ନୋଏଡାର ଜଲପୁର ଗାଁରେ ଦୀପିକା ନାମକ ଜଣେ ଯୁବତୀ ଯୌତୁକ ନିର୍ୟାତନା ପାଇଁ ଛାତରୁ ଡେଇଁ ଜୀବନ ହାରିଛନ୍ତି । ଦୀପିକାଙ୍କ ପିତାଙ୍କ କହିବା ଅନୁଯାୟୀ ସେ ୧ କୋଟି ଟଙ୍କା ଖର୍ଚ୍ଚ କରି ଝିଅ ଦୀପିକାଙ୍କ ବିବାହ କରିଥିଲେ । ଏବଂ ଗାଡ଼ି ସହ ସମସ୍ତ ପ୍ରକାରର ସୁନାଗହଣା ଓ ଯୌତୁକ ଦେଇଥିଲେ। ମାତ୍ର ବିବାହର କିଛି ମାସ ପରେ ଅଧିକ ଯୌତୁକ ଦାବି କରି ଦୀପିକାଙ୍କୁ ସ୍ୱାମୀ ଏବଂ ଶ୍ୱଶୁର ଦୀପିକାଙ୍କୁ କ୍ରମାଗତ ଭାବେ ମାନସିକ ଓ ଶାରୀରିକ ନିର୍ୟାତନା ଦେଇ ଆସୁଥିଲେ। ସମାଜ ଓ ସଂସାର ବଞ୍ଚାଇବା ପାଇଁ ଦୀପିକା ସବୁ କିଛି ସହ୍ୟ କରି ଆସୁଥିଲେ ହେଁ ଶେଷରେ ଅତ୍ୟଧିକ ଚାପ ସହ୍ୟ କରିନପାରି ସେ ଘରର ଛାତରୁ ଡେଇଁ ପଡ଼ିଥିଲେ।
ତେବେ ଦର୍ଶକବନ୍ଧୁ ଏଠାରେ ଦେଖାଯାଉଛି ଯେ ଶିକ୍ଷିତ ପରିବାରରେ ମାନସିକ ଓ ଚାପଗ୍ରସ୍ତ ପରିବେଶ ଯୋଗୁଁ ନାରୀ ମାନେ ଭିନ୍ନ ରୂପରେ ଅଧିକ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ପରିବାରରେ ଅଧିକ ଆଶା ଓ ଚାପ ଯୋଗୁଁ ନାରୀ ମାନେ ଅଣନିଶ୍ୱାସୀ ହେଉଛନ୍ତି । ଏବଂ ସବୁଠାରୁ ବଡ କଥା ହେଉଛି ଯେ ସମାଜରେ ବଦନାମ ନ ହେବା ପାଇଁ ଅନେକ ନାରୀ ଚୁପ୍ ରହିବାକୁ ବାଧ୍ୟ ହେଉଛନ୍ତି । ତେଣୁ ଏଭଳି କ୍ଷେତ୍ରରେ ଶିକ୍ଷା ସହ ନାରୀର ମାନସିକତାରେ ପରିବର୍ତ୍ତନ ଆଣିବା ନିହାରି ଜରୁରୀ ଏବଂଅନ୍ୟାୟ ବିରୋଧରେ ନିଜେ ସଚେତନ ଏବଂ ସ୍ୱାବଲମ୍ବୀ ହେବା ଉଚିତ ।