ବ୍ୟାରିକେଡ୍ ହଟିବ ନବୀନ ନିବାସ ଆଗରୁ!

ରାସ୍ତା ମାଡି ବସିଛନ୍ତି ଶଙ୍ଖପତି !
ସୁରକ୍ଷା ବାହାନାରେ ସର୍ବସାଧାରଣଙ୍କୁ ଦହଗଞ୍ଜ !

ଭୁବନେଶ୍ୱରର:- ପୁରୁଣା ଏୟାରପୋର୍ଟ ରୋଡ୍‌ରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ, ‘ନବୀନ ନିବାସ’ ସାମ୍ନାରେ କରାଯାଇଥିବା ବ୍ୟାରିକେଡ୍‌କୁ ନେଇ ବଡ଼ ବିବାଦ । ରାସ୍ତା ଉପରେ ବ୍ୟାରିକେଡ୍ କରି, ସର୍ବସାଧାରଣଙ୍କ ଯାତାୟାତରେ ବାଧା ସୃଷ୍ଟି କରାଯାଉଥିବା ଅଭିଯୋଗକୁ ନେଇ, ଓଡ଼ିଶା ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାରେ, ପ୍ରଶାସନର ନିଷ୍କ୍ରିୟତା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ମାନ୍ୟବର କୋର୍ଟ । ଯାହାପରେ ଏବେ ତତ୍ପରତା ପ୍ରକାଶ ପାଇଛି। ଆବଶ୍ୟକୀୟ ପଦକ୍ଷେପ ପାଇଁ ଗତ ଏପ୍ରିଲ ୨୭ ତାରିଖରେ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ, ପୂର୍ତ୍ତ ବିଭାଗକୁ ଚିଠି କରାଯାଇଥିଲା। ଆଉ ଏବେ, ପୂର୍ତ୍ତ ବିଭାଗ ପକ୍ଷରୁ ଗୃହ ବିଭାଗକୁ ଚିଠି । କମିଶନରେଟ୍ ପୋଲିସ ବା ଡିସିପି ଟ୍ରାଫିକଙ୍କ ମତାମତ ମଗାଯାଇଛି। ବ୍ୟାରିକେଡ଼ ହଟାଇବା ସହିତ ସୁରକ୍ଷା ଦୃଷ୍ଟିରୁ ଅନ୍ୟ କୌଣସି ଷ୍ଟ୍ରକଚରର ଆବଶ୍ୟକତା ଅଛି ନା ନାହିଁ, ତାହା ଜଣାଇବାକୁ କୁହାଯାଇଛି।

ତେବେ ଏ ନେଇ ସୂଚନାଧିକାର କର୍ମୀ ପ୍ରକାଶ ଚନ୍ଦ୍ର ଦାସ, ହାଇକୋର୍ଟରେ ମାମଲାରେ ରୁଜୁ କରିଥିଲେ । ଭୀମପୁର ମୌଜାର ଖାତା ନମ୍ବର ୭୪୦ ଅନ୍ତର୍ଗତ ପ୍ଲଟ୍‌ ନମ୍ବର ୧୦୭୧, ଯାହାର କିସମ ‘ସଡ଼କ’ । ସେଠାରେ ବ୍ୟାରିକେଡ୍ କରାଯାଇ ଜନସାଧାରଣଙ୍କ ଯାତାୟାତରେ ବାଧା ସୃଷ୍ଟି ହେଉଛି। ଆବେଦନକାରୀ କୋର୍ଟଙ୍କୁ ଅନୁରୋଧ କରିଥିଲେ ଯେ, ସେହି ରାସ୍ତାକୁ ଅବରୋଧମୁକ୍ତ କରାଯାଉ । ଏବଂ ଯେଉଁ ଅନଧିକୃତ ବ୍ୟାରିକେଡ୍ କରାଯାଇଛି, ତାହାକୁ ହଟାଯାଉ ବୋଲି ।