Bhubaneswar: ରାଜ୍ୟରେ ସଡକ ସୁରକ୍ଷା, ଯାତ୍ରୀ ସୁବିଧା ଓ ସୁବିଧାଜନକ ଯାତାୟାତକୁ ଆଉ ଶକ୍ତିଶାଳୀ କରିବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (STA) ଏକ ବଡ଼ ସିଦ୍ଧାନ୍ତ ନେଇଛି। ନୂଆ ନିୟମ ଅନୁଯାୟୀ, ଅନ୍ୟ ରାଜ୍ୟରେ ପଞ୍ଜିକୃତ ଏବଂ ୧୦ ବର୍ଷ ଉର୍ଦ୍ଧ୍ୱ ପୁରୁଣା କମର୍ସିଆଲ୍ ବାହାନ ଆଉ ଓଡ଼ିଶାରେ ଚାଲିବାକୁ ପାରିବ ନାହିଁ।
ପରିବହନ କମିଶନରଙ୍କ ଆଦେଶ ଅନୁସାରେ ସମସ୍ତ ଆରଟିଓଙ୍କୁ ଏହି ନିୟମକୁ କଡ଼ା ଭାବରେ ଲାଗୁ କରିବାକୁ କୁହାଯାଇଛି। ସୂଚନା ଅନୁସାରେ, ୨୦୨୩ ଜୁଲାଇ ୧୯ରେ ହୋଇଥିବା ୩୦୧ତମ STA ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଥିଲା ଏବଂ ଏବେ ସେହି ନିଷ୍ପତ୍ତିକୁ ସମଗ୍ର ରାଜ୍ୟରେ ଅମଲ କରାଯାଉଛି।
ଏହି ନୂଆ ନିୟମ ଅନୁଯାୟୀ, ୧୦ ବର୍ଷରୁ ଅଧିକ ପୁରୁଣା ଆଉଟ୍ଷ୍ଟେଟ୍ କମର୍ସିଆଲ୍ ବାହାନଙ୍କୁ କୌଣସି ନୂଆ ପରମିଟ୍ ଦିଆଯିବ ନାହିଁ। ଏହା ସହିତ ଏମିତି ବାହାନ ପାଇଁ ମାଲିକାନା ପରିବର୍ତ୍ତନ, ଠିକଣା ପରିବର୍ତ୍ତନ ଓ ଟ୍ୟାକ୍ସ ଗ୍ରହଣ ମଧ୍ୟ ପୂରାପୂରି ବନ୍ଦ ରହିବ।
STA ଜାରି କରିଥିବା ଆଦେଶରେ ସ୍ପଷ୍ଟ କରାଯାଇଛି ଯେ, ଅନ୍ୟ ରାଜ୍ୟର ୧୦ ବର୍ଷ ଉର୍ଦ୍ଧ୍ୱ ଷ୍ଟେଜ୍ କିମ୍ବା କନ୍ଟ୍ରାକ୍ଟ କ୍ୟାରିଏଜ୍ ବାହାନ ପାଇଁ ଆରଟିଓମାନେ କୌଣସି ପ୍ରକାରର ରେଜିଷ୍ଟ୍ରେସନ୍ ସମ୍ବନ୍ଧୀୟ ସୁବିଧା ଦେବେ ନାହିଁ।
ସରକାରଙ୍କ ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ ହେଉଛି ପୁରୁଣା ଓ ଅସୁରକ୍ଷିତ ବାହାନକୁ ରୋକି ସଡକ ଦୁର୍ଘଟଣା କମାଇବା। ଏହା ସହିତ ପ୍ରଦୂଷଣ ନିୟନ୍ତ୍ରଣ କରିବା ଓ ଯାତ୍ରୀମାନଙ୍କୁ ଭଲ ଯାତ୍ରା ସୁବିଧା ଦେବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ଏହି ନିୟମ ଲାଗୁ ହେବା ପରେ ରାଜ୍ୟରେ ଚାଲୁଥିବା ଅନେକ ପୁରୁଣା ବାହାନ ପ୍ରଭାବିତ ହେବା ସମ୍ଭାବନା ରହିଛି।