ସହରାଞ୍ଚଳରେ ୩ ମାସ ମଧ୍ୟରେ PNG ସଂଯୋଗ, ଭଡ଼ାଟିଆମାନେ ମଧ୍ୟ ପାଇବେ ସୁବିଧା

Bhubaneswar: ରାଜ୍ୟର ସମସ୍ତ ସହରାଞ୍ଚଳରେ ପାଇପ୍ଡ୍ ନ୍ୟାଚୁରାଲ୍ ଗ୍ୟାସ୍‌ (PNG) ସଂଯୋଗ ଯୋଗାଇବାକୁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ତୈଳ କମ୍ପାନୀମାନଙ୍କ ସହ ବୈଠକ ପରେ ଯୋଗାଣ ମନ୍ତ୍ରୀ Krushna Chandra Patra ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା ୩ ମାସ ମଧ୍ୟରେ ରାଜ୍ୟର ବଡ଼ ବଡ଼ ସହରଗୁଡ଼ିକରେ PNG ସଂଯୋଗ ଯୋଗାଇବା ପାଇଁ ତୈଳ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥାୟୀ ବାସିନ୍ଦାଙ୍କ ସହିତ ସହରାଞ୍ଚଳରେ ଭଡ଼ାରେ ରହୁଥିବା ବ୍ୟକ୍ତିମାନେ ମଧ୍ୟ ଏହି ସୁବିଧା ପାଇପାରିବେ।

ଅନ୍ୟପଟେ, ଗ୍ରାମାଞ୍ଚଳରେ LPG ସିଲିଣ୍ଡର ଯୋଗାଣ ପୂର୍ବପରି ଚାଲିଥିବା ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଗ୍ୟାସ୍‌ କଳାବଜାରୀକୁ ରୋକିବା ପାଇଁ e-KYC ବ୍ୟବସ୍ଥା ଆରମ୍ଭ କରାଯିବ। e-KYC ସମ୍ପୂର୍ଣ୍ଣ ହେଲେ କେହି ଅନ୍ୟ ନାମରେ ଗ୍ୟାସ୍‌ ନେଇପାରିବେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଯେଉଁମାନେ PNG ସଂଯୋଗ ନେଇଛନ୍ତି ସେମାନଙ୍କୁ LPG ସୁବିଧା ଦିଆଯିବ ନାହିଁ। ଏହି ବୈଠକରେ ନଗର ଉନ୍ନୟନ ମନ୍ତ୍ରୀ, ଯୋଗାଣ ସଚିବ ଓ ତୈଳ କମ୍ପାନୀର ପ୍ରତିନିଧିମାନେ ଉପସ୍ଥିତ ଥିଲେ ଏବଂ ସହରାଞ୍ଚଳରେ ଶୀଘ୍ର PNG ସଂଯୋଗ ବିସ୍ତାର ନେଇ ଚର୍ଚ୍ଚା ହୋଇଥିଲା।