ଆମେରିକା–ଇରାନ ଉତ୍ତେଜନା ମଧ୍ୟରେ ଭାରତର ଆଡଭାଇଜରୀ, ଭାରତୀୟଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ବଢୁଥିବା ସାମରିକ ଉତ୍ତେଜନାକୁ ଦୃଷ୍ଟିରେ ରଖି ଭାରତ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। Embassy of India, Tehran ସୋମବାର ଇରାନରେ ବସବାସ କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରିଛି। ଛାତ୍ର, ପର୍ଯ୍ୟଟକ ଓ ବ୍ୟବସାୟୀମାନଙ୍କୁ ଯଥାଶୀଘ୍ର ଇରାନ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। ଉପଲବ୍ଧ ସମସ୍ତ ପରିବହନ ମାଧ୍ୟମ, ବିଶେଷକରି ବାଣିଜ୍ୟିକ ବିମାନ ମାଧ୍ୟମରେ ଶୀଘ୍ରତରେ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ମଧ୍ୟପ୍ରାଚ୍ୟରେ ସମ୍ଭାବ୍ୟ ସାମରିକ ମୁକାବିଲା ଆଶଙ୍କା ଯୋଗୁଁ ନୂଆଦିଲ୍ଲୀ ନାଗରିକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଏହି ନିଷ୍ପତ୍ତି ନେଇଛି।

ଏହି ଉତ୍ତେଜନା ମଧ୍ୟରେ United States ଓ Iran ମଧ୍ୟରେ ତୃତୀୟ ପର୍ଯ୍ୟାୟ ପରମାଣୁ ଆଲୋଚନା ଆସନ୍ତା ଫେବୃଆରୀ ୨୬ରେ ସ୍ୱିଜରଲ୍ୟାଣ୍ଡର Geneva ରେ ହେବାକୁ ଯାଉଛି। ଏହି ତାରିଖକୁ ଓମାନର ବୈଦେଶିକ ମନ୍ତ୍ରୀ Badr Albusaidi ନିଶ୍ଚିତ କରିଛନ୍ତି। ଆମେରିକା ରାଷ୍ଟ୍ରପତି Donald Trump ପରମାଣୁ ଚୁକ୍ତି ପାଇଁ ୧୦-୧୫ ଦିନର ସମୟସୀମା ଧାର୍ଯ୍ୟ କରି ଚେତାବନୀ ଦେଇଛନ୍ତି ଯେ, ଯଦି ଇରାନ ନିୟମ ମାନିବ ନାହିଁ, ତେବେ ଗୁରୁତର ପରିଣାମ ହେବ। ଆମେରିକା ଉପରାଷ୍ଟ୍ରପତି J. D. Vance କହିଛନ୍ତି ଯେ, ଇରାନ ଏପର୍ଯ୍ୟନ୍ତ ଆମେରିକାର ମୁଖ୍ୟ ସର୍ତ୍ତ ଅର୍ଥାତ ‘ଶୂନ୍ୟ ୟୁରାନିୟମ ସମୃଦ୍ଧକରଣ’ ଓ କ୍ଷେପଣାସ୍ତ୍ର ନିୟନ୍ତ୍ରଣକୁ ମାନିବାକୁ ପ୍ରସ୍ତୁତ ନୁହେଁ। ଅନ୍ୟପକ୍ଷରେ, ଇରାନ ଆର୍ଥିକ କଟକଣା ହଟାଇବାକୁ ଦାବି କରୁଛି।

ରିପୋର୍ଟ ଅନୁଯାୟୀ, ଆମେରିକା ମଧ୍ୟପ୍ରାଚ୍ୟରେ ନିଜ ସାମରିକ ଉପସ୍ଥିତି ବଢ଼ାଇଛି। USS Abraham Lincoln ଓ USS Gerald R. Ford ସମେତ ଅନେକ ଡେଷ୍ଟ୍ରୟର ଓ ଫ୍ରିଗେଟ୍ ମୁତୟନ କରାଯାଇଛି। ଇରାନ ବୈଦେଶିକ ମନ୍ତ୍ରୀ Abbas Araghchi କହିଛନ୍ତି ଯେ କୂଟନୈତିକ ଆଲୋଚନା ପାଇଁ ରାସ୍ତା ଖୋଲା ଅଛି, କିନ୍ତୁ ଆକ୍ରମଣ ହେଲେ ଦୃଢ଼ ଜବାବ ଦିଆଯିବ। ଇରାନ ରାଷ୍ଟ୍ରପତି Masoud Pezeshkian ମଧ୍ୟ କହିଛନ୍ତି ଯେ, ଇରାନ ବିଶ୍ୱସ୍ତରୀୟ ଚାପରେ ମୁଣ୍ଡ ନୁଆଁଇବ ନାହିଁ। ଏହି ପରିସ୍ଥିତିରେ ତେହେରାନ ଓ ମଶହଦର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଆର୍ଥିକ ସଙ୍କଟକୁ ନେଇ ସରକାର ବିରୋଧୀ ପ୍ରଦର୍ଶନ ମଧ୍ୟ ତୀବ୍ର ହେଉଛି। ସମ୍ପୂର୍ଣ୍ଣ ପରିସ୍ଥିତିକୁ ନଜରରେ ରଖି ଭାରତ ସରକାର ନାଗରିକଙ୍କୁ ସତର୍କ ରହିବାକୁ ଆହ୍ୱାନ କରିଛି।