ନୂଆଦିଲ୍ଲୀ: ଦିଲ୍ଲୀର ପ୍ରସିଦ୍ଧ Red Fort (ଲାଲକିଲ୍ଲା) ଏବଂ ରାଜଧାନୀର କିଛି ପ୍ରମୁଖ ଧାର୍ମିକ ସ୍ଥଳକୁ ନେଇ ସୁରକ୍ଷା ଏଜେନ୍ସିମାନେ ସତର୍କ ହୋଇଛନ୍ତି । ମିଳିଥିବା ଗୁପ୍ତ ସୂଚନା ଆଧାରରେ ଦିଲ୍ଲୀ ପୁଲିସ ଓ କେନ୍ଦ୍ରୀୟ ଏଜେନ୍ସିମାନେ ହାଇ ଆଲର୍ଟ ଜାରି କରିଛନ୍ତି । ସୂଚନା ଅନୁଯାୟୀ, ଆତଙ୍କବାଦୀ ସଂଗଠନ Lashkar-e-Taiba ଆଇଇଡି ମାଧ୍ୟମରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଥିବା ଆଶଙ୍କା ରହିଛି । ବିଶେଷତଃ ଲାଲକିଲ୍ଲା ସମ୍ମୁଖ ଅଞ୍ଚଳ ଏବଂ Chandni Chowkରେ ଥିବା ମନ୍ଦିରଗୁଡ଼ିକୁ ଟାର୍ଗେଟ କରାଯାଇପାରେ ବୋଲି ସତର୍କତା ଜାରି ହୋଇଛି । ୬ ଫେବୃଆରୀ ୨୦୨୬ରେ Islamabadର ଶାହଜାଦ ଟାଉନ ଅଞ୍ଚଳର ତେରଲାଇ ଇମାମ ବାରଗାରେ ନମାଜ ସମୟରେ ବିସ୍ଫୋରଣ ଘଟିଥିଲା । ଏହି ଆତ୍ମଘାତୀ ବିସ୍ଫୋରଣରେ ଅନେକ ଲୋକଙ୍କ ମୃତ୍ୟୁ ଓ ଅନେକ ଆହତ ହୋଇଥିଲେ । ଏହି ଘଟଣା ପରେ ଭାରତର ପ୍ରମୁଖ ଧାର୍ମିକ ସ୍ଥଳ ଓ ଜନଗହଳିପୂର୍ଣ୍ଣ ଅଞ୍ଚଳଗୁଡ଼ିକୁ ନେଇ ସତର୍କତା ବଢ଼ାଯାଇଛି ।
ଗୁପ୍ତ ସୂଚନା ମିଳିବା ପରେ ଲାଲକିଲ୍ଲା, ଚାନ୍ଦନୀ ଚୌକ ଓ ନିକଟସ୍ଥ ଧାର୍ମିକ ସ୍ଥଳଗୁଡ଼ିକରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଅତିରିକ୍ତ ପୋଲିସ ଓ ପ୍ୟାରାମିଲିଟାରୀ ଫୋର୍ସ ମୁତୟନ ହୋଇଛନ୍ତି । ସନ୍ଦିଗ୍ଧ ଯାନବାହନ ଓ ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖାଯାଉଛି । ୧୦ ନଭେମ୍ବର ୨୦୨୫ରେ ଲାଲକିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣ ଘଟଣା ପରେ ସୁରକ୍ଷା ଏଜେନ୍ସିମାନେ ଅଧିକ ସତର୍କ ହୋଇଥିଲେ । ସେହି ଘଟଣାରେ ଅନେକ ଲୋକ ଆହତ ହୋଇଥିବା ସହ ଯାନବାହନ ନଷ୍ଟ ହୋଇଥିଲା । ବିସ୍ଫୋରଣଟି ଲାଲକିଲ୍ଲା ନିକଟରେ ଦୀର୍ଘ ସମୟ ଧରି ପାର୍କ ହୋଇଥିବା ଗାଡ଼ିରେ ଘଟିଥିଲା ବୋଲି ତଦନ୍ତରେ ଜଣାପଡ଼ିଥିଲା । ଏହି ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ଚଢ଼ାଉ ଓ ସନ୍ଦିଗ୍ଧଙ୍କ ଉପରେ ନଜରଦାରି ବଢ଼ାଯାଇଛି । ସୁରକ୍ଷା ଏଜେନ୍ସିମାନେ ସଚେତନ ରହିବାକୁ ଓ ସନ୍ଦିଗ୍ଧ କୌଣସି କାର୍ଯ୍ୟକଳାପ ଦେଖିଲେ ତତ୍କ୍ଷଣାତ୍ ପୋଲିସକୁ ସୂଚନା ଦେବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରିଛନ୍ତି ।