ଖୁସି ଖବର: ଏପ୍ରିଲ ୨୨ରେ ଖୋଲିବ କେଦାରନାଥ ମନ୍ଦିର କପାଟ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ସ୍ଥିତ ପ୍ରସିଦ୍ଧ କେଦାରନାଥ ଧାମର କପାଟ ଆସନ୍ତା ଏପ୍ରିଲ ୨୨ ତାରିଖରେ ଶୁଭ ବୃଷ ଲଗ୍ନରେ ଖୋଲିବ। ଏହି ଘୋଷଣା ଶୀତକାଳୀନ ଗଦ୍ଦିସ୍ଥଳ ଓମକାରେଶ୍ଵର ମନ୍ଦିରରେ ବିଧିବିଧାନ ସହ କରାଯାଇଛି। ଘୋଷଣା ପରେ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ମନ୍ଦିର ସମିତି ଅନୁସାରେ, ବୁଧବାର ସକାଳ ୮ଟାରେ ବାବା କେଦାରନାଥଙ୍କ କପାଟ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯିବ। ଏହାପରେ ପ୍ରାୟ ଛଅ ମାସ ଯାଏଁ କେଦାରନାଥ ଯାତ୍ରା ଚାଲିବ।

କେଦାରନାଥ ଧାମ କପାଟ ଖୋଲିବାର ଗୋଟେ ଦିନ ପରେ, ଅର୍ଥାତ୍ ୨୩ ଏପ୍ରିଲରେ ପବିତ୍ର ବଦ୍ରିନାଥ ଧାମର କପାଟ ବ୍ରହ୍ମମୁହୂର୍ତ୍ତରେ ସକାଳ ୬ଟା ୧୫ମିନିଟରେ ଖୋଲାଯିବ। ଏହି ଶୁଭ ତିଥିର ଘୋଷଣା ପୂର୍ବରୁ ବସନ୍ତ ପଞ୍ଚମୀରେ କରାଯାଇଥିଲା। ସେହିପରି ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀର କପାଟ ଅକ୍ଷୟ ତୃତୀୟା, ଅର୍ଥାତ୍ ଏପ୍ରିଲ ୧୯ରେ ବିଧିବିଧାନ ସହ ଖୋଲିବ। ଚାରଧାମ ଯାତ୍ରାକୁ ନଜରରେ ରଖି ସରକାର ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାସ୍ତା ମରାମତି, ସୁରକ୍ଷା ବ୍ୟବସ୍ଥା ଏବଂ ଯାତ୍ରୀମାନଙ୍କ ପଞ୍ଜିକରଣ ପ୍ରକ୍ରିୟା ଚାଲିଛି। ହୋଟେଲ ଓ ଧର୍ମଶାଳାରେ ଆଗୁଆ ବୁକିଂ ମଧ୍ୟ ଆରମ୍ଭ ହୋଇଯାଇଛି। ଭକ୍ତମାନେ ଏବେ ଚାରଧାମ ଯାତ୍ରା ପାଇଁ ପ୍ରସ୍ତୁତି ନେଉଥିବାବେଳେ ପବିତ୍ର ଧାମଗୁଡ଼ିକୁ ଯିବାକୁ ଉତ୍ସାହ ଦେଖାଯାଉଛି।